ବୁଦ୍ଧଙ୍କ ଅମୁଲ୍ୟ ବାଣୀ
ଖ୍ରୀଷ୍ଟପୂର୍ବ ୪୦୦ରୁ ଖ୍ରୀଷ୍ଟୀୟ ୧୭୦୦, ଦୀର୍ଘ ପ୍ରାୟ ଦୁଇ ହଜାର ବର୍ଷରୁ ଅଧିକ ବର୍ଷଧରି ଓଡିଶାର ଜନସାଧାରଣ ଯେଉଁ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିଲେ, ତାହା ହେଉଛି ବୌଦ୍ଧଧର୍ମ । କଳିଙ୍ଗ ଯୁଦ୍ଧ ପରେ ଆମର ଏଇ ଓଡିଶା ମାଟିରୁ ହିଁ ବୌଦ୍ଧଧର୍ମକୁ ବିଶ୍ୱଧର୍ମରେ ପରିଣତ କରିବାପାଇଁ ସମ୍ରାଟ ଅଶୋକଙ୍କର ସ୍ୱପ୍ନ ସାକାର ହୋଇଥିଲା । ସମଗ୍ର ଓଡିଶା ଭୂଖଣ୍ଡରେ ଖ୍ରୀଷ୍ଟପୂର୍ବ ୨୭୧ ପରଠାରୁ ପ୍ରାୟ ୧୫୦୦ ବର୍ଷ ଧରି ବିପୁଳ ବୌଦ୍ଧ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସୃଷ୍ଟି ହୋଇଥିଲା । ସେ ସବୁର ଅବକ୍ଷୟ ସମୟକ୍ରମେ ଘଟିଥିଲେ ମଧ୍ୟ ଯେତିକି ବି ଆଜି ଅବଶିଷ୍ଟ ଅଛି, ତାହା ଇଣ୍ଡିଆରେ ଥିବା ଅନ୍ୟାନ୍ୟ ଅଂଚଳର ବୌଦ୍ଧ ସ୍ଥାପତ୍ୟଠାରୁ ମଧ୍ୟ ଅଧିକ ।
ଓଡିଶାର ପ୍ରାଚୀନ ପୃଷ୍ଠଭୂମି
ବୌଦ୍ଧ ଜାତକର କାହାଣୀଗୁଡିକରେ ମଧ୍ୟ କଳିଙ୍ଗର ନାମ ବହୁଳ ଭାବରେ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀକୁ ବୁଦ୍ଧଦେବଙ୍କ ସମୟ ବୋଲି ଧରାଯାଏ । ତେଣୁ ବୌଦ୍ଧ ଜାତକ କାହାଣୀସବୁ ବୁଦ୍ଧଦେବଙ୍କ ସମୟରେ କିମ୍ବା ତାଙ୍କର ପରବର୍ତ୍ତୀ କାଳରେ ରଚିତ ହୋଇଥିବା ଅନୁମାନ କରାଯାଇପାରେ । କଳିଙ୍ଗ ନାମ ରହିଥିବା ଜାତକ ଗଳ୍ପଗୁଡିକ ହେଉଛି ‘ଚୁଲ୍ଲ କଳିଙ୍ଗ ଜାତକ’, ‘କଳିଙ୍ଗବୋଧି ଜାତକ’ । ‘ଶରଭଙ୍ଗ ଜାତକ’ରେ କୁହାଯାଇଛି ଯେ, କଳିଙ୍ଗ ରାଜାଙ୍କ ନାମ ‘କାଳିଙ୍ଗ’ ଥିଲା । ଏହିସବୁ ଜାତକ ଗଳ୍ପରେ ‘ଦନ୍ତପୁରୀ’ କଳିଙ୍ଗର ରାଜଧାନୀ ଥିଲା । ଐତିହାସିକମାନେ ମତ ଦିଅନ୍ତି ଯେ, ଏଠାରେ ବୁଦ୍ଧଦେବଙ୍କର ପବିତ୍ର ଦନ୍ତକୁ ଏକ ଚୈତ୍ୟରେ ରଖି ପୂଜା କରାଯାଉଥିବାରୁ ଏହାକୁ ‘ଦନ୍ତପୁରୀ’ ନାମରେ ନାମିତ କରାଯାଇଥିଲା । ଶ୍ରୀଲଙ୍କାର ବୁଦ୍ଧିଜୀବୀଙ୍କ ମତରେ ଏବେକାର ପୁରୀ ହେଉଛି ସେହି ଦନ୍ତପୁରୀ ।
ପାଲି ଭାଷାରେ ଲିଖିତ ନିକାୟ ତଥା ବିନୟପିଟକଗୁଡିକରେ ମଧ୍ୟ କଳିଙ୍ଗ, ଏହାର ଧର୍ମ, ରାଜନୀତି ଆଦି ସମ୍ପର୍କରେ ସାମାନ୍ୟ ଉଲ୍ଲେଖ ରହିଛି । ବୁଦ୍ଧଦେବଙ୍କ ସମୟରେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀ ବେଳକୁ ଇଣ୍ଡିଆରେ ୧୬ ଗୋଟି ମହାଜନପଦ ରହିଥିବା ବିଷୟ ‘ଅଙ୍ଗୁତର ନିକାୟ’ ରେ ବର୍ଣ୍ଣନା ରହିଛି । ସେଗୁଡିକ ହେଉଛି – ଅଙ୍ଗ, ମଗଧ, କାଶୀ, କୋଶଳ, ବଜଜୀ, ମଲ୍ଲ, ଚେଦୀ, ବଙ୍ଗ, କୁରୁ, ପାଂଚାଳ, ମତ୍ସ୍ୟ, ସୁରସେନ, ଅସ୍ମକ, ଅବନ୍ତୀ, ଗାନ୍ଧାର ଓ କମ୍ବୋଜ । ଅଙ୍ଗ ସିଂହଳର ବୌଦ୍ଧଗ୍ରନ୍ଥ ମହାବଂଶ (Mahavamsa) ରେ ବି ‘କଳିଙ୍ଗ’ ନାମର ଉଲ୍ଲେଖ ରହିଛି । ଏହି ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ କଳିଙ୍ଗ ରାଜାଙ୍କ ଝିଅ ସୁସିମା (Susima) ସିଂହଳ ରାଜାଙ୍କ ଜେଜେ ମା’ ଥିଲେ ।
ପ୍ରାଚୀନ କାଳରେ ଓଡିଶା ଇଣ୍ଡିଆର ସମଗ୍ର ପୂର୍ବ ଉପକୂଳରେ ବ୍ୟାପ୍ତ ଏକ ବିଶାଳ ଭୂଖଣ୍ଡ ଥିଲା । ଏହା କଳିଙ୍ଗ, ଉତ୍କଳ, ଉଡ୍ର ଆଦି ଏକାଧିକ ନାମ ବହନ କରୁଥିଲା । ତେବେ କେତେକ ପୌରାଣିକ ଗ୍ରନ୍ଥରେ କଳିଙ୍ଗଠାରୁ ଉତ୍କଳ ପ୍ରାଚୀନ ବୋଲି ଉଲ୍ଲେଖ ରହିଛି । ମହାକବି କାଳିଦାସ ‘ରଘୁବଂଶ’ କାବ୍ୟରେ ଉତ୍କଳ କଳିଙ୍ଗର ଏକ ପଡୋଶୀ ରାଜ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି । ମାତ୍ର ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ଓଡିଶା, ଉତ୍କଳ ଅଥବା କଳିଙ୍ଗର ସୃଷ୍ଟି ବହୁ ପ୍ରାଚୀନ । ଏପରି ଭି କୁହାଯାଇ ପାରେ ଏକ ଭାଷିୟ ସଭ୍ୟତାରେ ଏକାଧିକ ରାଜାଙ୍କ ରାଜ୍ୟ ଦ୍ୱାରା ଶାସିତ ହେଉଥିଲା । ସେହି ପ୍ରାଚୀନ କାଳରୁ ଉତ୍କଳର ବୁଦ୍ଧିଜୀବୀମାନେ ସାରା ଇଣ୍ଡିଆକୁ ଜ୍ଞାନ ବିତରଣ କରୁଥିଲେ । ବହୁ ସନ୍ଥ ଓ ଧର୍ମଗୁରୁ ଏଠାକୁ ଆସି ନିଜନିଜ ଧର୍ମର ପ୍ରଚାର ପ୍ରସାର କରିବା ସହିତ ପରମ ଶାନ୍ତି ଏବଂ ତୃପ୍ତି ଲାଭ କରିଥିଲେ । ମହାକାରୁଣିକ ବୁଦ୍ଧଦେବ ସେହିଭଳି ଜଣେ ଧର୍ମ ପ୍ରବର୍ତକ ଥିଲେ । ମିଥ୍ୟା ଐତିହାସିକ ଲିଖନ ଅନୁସାରେ ବୁଦ୍ଧ ନେପାଳରେ ଜନ୍ମ ଲିଖିତ ଥିଲେ ମଧ୍ୟ ବହୁ ଦୃଷ୍ଟିକୋଣରୁ ଏହା ମିଥ୍ୟା ବୋଲି ବିବେଚିତ ହୁଏ ଏବଂ ବୁଦ୍ଧଙ୍କ ଜନ୍ମ ଓଡ଼ିଶାରେ ବୋଲି ଇଙ୍ଗିତ କରେ । ସିଦ୍ଧାର୍ଥଙ୍କ ବୁଦ୍ଧତ୍ୱ ପ୍ରାପ୍ତି ପରେ ପ୍ରଥମେ ‘ତପସ୍ସୁ’ ଏବଂ ‘ଭଲ୍ଲିକ’ ନାମକ ଉତ୍କଳର ଦୁଇଜଣ ନାଗରିକଙ୍କଠାରୁ ସୁମିଷ୍ଟ ଖାଦ୍ୟ (ପିଠା ଓ ମହୁ) ଖାଇ ଉପବାସ ଭଙ୍ଗ କରିଥିଲେ ଏବଂ ତାଙ୍କୁ ନିଜର ତପସ୍ୟା ଉପଲବ୍ଧ ଜ୍ଞାନ ପ୍ରଦାନ କରିଥିଲେ । ତା’ପରେ ସେମାନେ ଦୁହେଁ ହୋଇଯାଇଥିଲେ ବୁଦ୍ଧଙ୍କର ଦୁଇ ପ୍ରଥମ ଉପାସକ । ବୌଦ୍ଧଗ୍ରନ୍ଥ ‘ମହାବସ୍ତୁ’ ଅନୁସାରେ, ଏହା ଥିଲା ଉତ୍କଳ (ଉକ୍କଲ)ର ଅନ୍ତର୍ଭୁକ୍ତ ।
ଓଡିଶାର ବୌଦ୍ଧ ସାହିତ୍ୟ, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ବିପୁଳ ସମ୍ପଦ କାଳର କରାଳ ଗର୍ଭରେ ବିଲୀନ ହୋଇଯାଇଥିଲେ ସୁଦ୍ଧା ଯାହା ବି କିଛି ଅବଶିଷ୍ଟ ରହିଛି ତାହା ଇଣ୍ଡିଆର ଯେ କୌଣସି ଅଂଚଳର ବୌଦ୍ଧ ସମ୍ପଦଠାରୁ ଯେ ଯଥେଷ୍ଟ ଅଧିକ ଓ ଅନନ୍ୟ ସେକଥା ବିନା ଦ୍ୱିଧାରେ କୁହାଯାଇପାରିବ ।
ପରମକାରୁଣିକ ବୁଦ୍ଧ ଓ ବୌଦ୍ଧଧର୍ମ
ପ୍ରାଚୀନ ଯୁଗରେ ବୁଦ୍ଧିଜୀବୀ ବୁଦ୍ଧଦେବ ସମାଜର ଯାବତୀୟ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଋଢିବାଦୀ ଚିନ୍ତାଧାରା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଚରିତ୍ର ଶୁଦ୍ଧତା (Rightness of Conduct) ଆଉ କାମନାର ପବିତ୍ରତା (Purity of Desire) ବୁଦ୍ଧଙ୍କ ପ୍ରଚାରିତ ଧର୍ମର ସାରକଥା ଥିଲା । ଏହା ଏତେ ସରଳ, ବୋଧଗମ୍ୟ ତଥା ବାସ୍ତବତାର ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ଥିଲା ଯେ, ତାହା ଅତିଶୀଘ୍ର ପ୍ରତ୍ୟେକ ଲୋକଙ୍କ ହୃଦୟକୁ ସ୍ପର୍ଶ କରିବାରେ ସମର୍ଥ ହୋଇପାରିଥିଲା ।
୪୯ ଦିନ ଧ୍ୟାନ କଲା ପରେ ଏକ ବୈଶାଖ-ପୂର୍ଣ୍ଣିମା ରାତ୍ରିର ଶେଷଭାଗରେ ଧ୍ୟାନମଗ୍ନ ସିଦ୍ଧାର୍ଥଙ୍କର ଚିତ୍ତ ହଠାତ୍ ବୋଧି (ତତ୍ତ୍ୱଜ୍ଞାନ)ରେ ଉଦ୍ଭାସିତ ହୋଇଉଠିଲା । ସେହି ତତ୍ତ୍ୱଜ୍ଞାନଗୁଡିକ ହେଲା (୧) ସଂସାର ଦୁଃଖମୟ, (୨) କାମନା ହେଉଛି ଦୁଃଖର କାରଣ, (୩) କାମନାର ବିନାଶରେ ଦୁଃଖର ବିନାଶ ଓ (୪) ଅଷ୍ଟାଙ୍ଗିକ ମାର୍ଗରେ ଜୀବନକୁ ପରିଚାଳିତ କରିପାରିଲେ ମୋକ୍ଷ ବା ନିର୍ବାଣ ସମ୍ଭବ । ଏହାକୁ ଚାରି ମହାନ ସତ୍ୟ କୁହାଯାଏ ।
(୧) ସଂସାର ଦୁଃଖମୟ : ଜନ୍ମ, ମୃତ୍ୟୁ, ବାର୍ଦ୍ଧକ୍ୟ ଓ ବ୍ୟାଧି ହେଉଛି ଦୁଃଖ । ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନଙ୍କୁ ହରାଇବା ହେଉଛି ଦୁଃଖ । ମଣିଷ ତୁଚ୍ଛ ସୁଖ ପଛରେ ଧାଇଁବାରେ ନିଜର ଜୀବନ ବିତାଇ ଦେଉଛି । ସୁଖ କ୍ଷଣସ୍ଥାୟୀ । ଏହା ପ୍ରାପ୍ତ ନ ହେଲେ ଦୁଃଖ ଜାତ ହୁଏ ।
(୨) କାମନା ହେଉଛି ଦୁଃଖର କାରଣ : କୌଣସି ଆଶା-ଅଭିଳାଷ-ଇଚ୍ଛା-ତୃଷ୍ଣା ବା କାମନା ଅପୂର୍ଣ୍ଣ ରହିଲେ ଦୁଃଖ ଜାତ ହୁଏ । କାମନା ଅର୍ଥ ପାଇବାର ଇଚ୍ଛା । ଲୋଭ, ମୋହ, ଆସକ୍ତି, ସ୍ୱାର୍ଥପରତା, ଇନ୍ଦ୍ରିୟ ଭୋଗ କରିବାର ଲାଳସା, ସବୁ କାମନାର ଅନ୍ତର୍ଭୁକ୍ତ । କାମନା ହିଁ ଦୁଃଖର କାରଣ ।
(୩) କାମନାର ବିନାଶରେ ଦୁଃଖର ବିନାଶ : କାମନା ସର୍ବଦା ଅପୂର୍ଣ୍ଣ ଏବଂ ଏହାକୁ ଦୂର, ଲୋପ ବା ଦମନ କରିଦେଇପାରିଲେ ଦୁଃଖ ଦୂରୀଭୂତ ହେବ । ଦୁଃଖ ଦୂରୀଭୂତ ହିଁ ନିର୍ବାଣ ।
(୪) ଅଷ୍ଟାଙ୍ଗିକ ମାର୍ଗ: ବୋଧିଲାଭରୁ ପ୍ରାପ୍ତ ଜ୍ଞାନରୁ ବୁଦ୍ଧଦେବ ଦୈନନ୍ଦିନ ଜୀବନରେ ଆଠଟି ନିର୍ଦ୍ଦିଷ୍ଟ ମାର୍ଗ ବା ଆଚରଣ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ । ଏହି ଆଚରଣଗୁଡିକର ଅନୁସରଣଦ୍ୱାରା କାମନା ଦୂରୀଭୂତ ହୋଇଯାଏ । ଏହି ଆଠଟି ବିଷୟ ହେଉଛି – (୧) ସତ୍ ଭାବନା, (୨) ସତ୍ ବୁଦ୍ଧି, (୩) ସତ୍ କଥନ, (୪) ସତ୍ କାର୍ଯ୍ୟ, (୫) ସତ୍ ଜୀବିକା, (୬) ସତ୍ ଉଦ୍ୟମ, (୭) ସତ୍ ଚେତନା ଓ (୮) ସତ୍ ସମାଧି । ଏହି ଆଠଟି ମାର୍ଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସରେ ପରିଣତ କରିବା ଉଚିତ ।
ସତ୍ ଭାବନା– ସତ୍ ଭାବନାର ଅର୍ଥ ସୁଚିନ୍ତାର ପ୍ରସାର ଓ ଦୁଶ୍ଚିନ୍ତାର ଅନ୍ତ ଘଟାଇବା । ସମସ୍ତ ଜୀବଜଗତ ପ୍ରତି ପ୍ରେମଭାବ ଜାଗ୍ରତ କରିବା, ସମସ୍ତଙ୍କ ପ୍ରତି କରୁଣା ଓ ଦୟା ପ୍ରଦର୍ଶନ କରିବା, ସକଳ ଜୀବଜନ୍ତୁଙ୍କ ପ୍ରତି ଅହିଂସା ଆଚରଣ ପ୍ରଦର୍ଶନ କରିବା- ଏହି ସତ୍ ଭାବନାଗୁଡିକ ଅଭ୍ୟାସ କଲେ ଲୋଭ, ସ୍ୱାର୍ଥପରତା, ଘୃଣା, କ୍ରୋଧ, ବିଦ୍ୱେଷ, ନିଷ୍ଠୁରତା ଓ ପ୍ରତିଶୋଧପରାୟଣତା ପରି କ୍ଷତିକାରକ ଭାବନା ଲୋପ ପାଇଥାଏ ।
ସତ୍ ବୁଦ୍ଧି– ସ୍ୱଚ୍ଛ, ନିର୍ମଳ ଓ ଅନାବିଳ ମନ ପରିସ୍ଥିତିର ସମ୍ମୁଖୀନ ହୋଇ ଦୁଃଖ ଜର୍ଜରିତ ହୋଇଥାଏ । ଲୋଭ, କାମ, ଅହଂକାରର ବଶବର୍ତ୍ତୀ ହୋଇ ମଣିଷର ଜୀବନ ଦୁଃଖ ଆଡକୁ ଗତି କରେ । ନିଜର ଅନ୍ତର୍ଦୃଷ୍ଟି ପ୍ରୟୋଗ କରି ଅକରଣୀୟ, ଅନାବଶ୍ୟକ ଆକାଂକ୍ଷାକୁ ତ୍ୟାଗ କରିବାକୁ ସତ୍ ବୁଦ୍ଧି କହନ୍ତି । ପ୍ରତ୍ୟେକ ବ୍ୟକ୍ତି ଅସନ୍ତୋଷ, ଅହଂକାର ଓ କ୍ଷଣଭଙ୍ଗୁର ଚିନ୍ତାକୁ ପରିତ୍ୟାଗ କରିବାଦ୍ୱାରା ସଠିକ୍ ବୁଝିବାଶକ୍ତି ପ୍ରୟୋଗ କରିବାକୁ ସକ୍ଷମ ହୁଏ । ସତ୍ ବୁଦ୍ଧି ପ୍ରାପ୍ତ ହେଲେ ଯାଇ ସତ୍ୟ ଜଳଜଳ ହୋଇ ଦେଖାଯାଏ । ଫଳରେ ବ୍ୟକ୍ତି ପ୍ରତ୍ୟେକ ବିଷୟକୁ ଠିକ୍ ଭାବରେ ବୁଝିପାରେ ।
ସତ୍ କଥନ– ମିଥ୍ୟା ନ କହିବା, ଅନ୍ୟର ବିପକ୍ଷରେ ନ କହିବା, କଠୋର ବାକ୍ୟ କହିବାରୁ ବିରତ ହେବା, ସର୍ବଦା ସତ୍ୟ କହିବା, ମଙ୍ଗଳପ୍ରଦ କଥା କହିବାକୁ ସତ୍ କଥନ କୁହାଯାଏ । ସତ୍ୟ କଥା ଯଦି ଅନ୍ୟ ବ୍ୟକ୍ତିର ଅମଙ୍ଗଳ, ଅଶୁଭ ଓ ଅସୁଖର କାରଣ ହେଉଥାଏ, ତେବେ ତାହା ନ କହିବା ଉଚିତ୍ ।
ସତ୍ କାର୍ଯ୍ୟ – ପ୍ରାଣହତ୍ୟା ନ କରିବା, ଚୋରି କିମ୍ବା ଅସାଧୁ ଉପାୟ ଅବଲମ୍ବନ କରି ଜୀବନଯାପନ କରିବାରୁ ବିରତ ରହିବା, ଯୌନ ବ୍ୟଭିଚାରରୁ ନିବୃତ ରହିବା, ସମସ୍ତ ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ହେଉଛି ସତ୍ କାର୍ଯ୍ୟ । ସମୂହ କଲ୍ୟାଣପାଇଁ କାର୍ଯ୍ୟରତ ରହିବା ଓ କୌଣସି ପୁରସ୍କାର ବା ସ୍ୱୀକୃତିକୁ ଆଶା ନ ରଖି କାର୍ଯ୍ୟ କରିବା ହିଁ ସତ୍ କାର୍ଯ୍ୟ ।
ସତ୍ ଜୀବିକା– ସତ୍ ଜୀବିକାର ଅର୍ଥ ହେଉଛି ଯେ, ପ୍ରତ୍ୟେକ ବ୍ୟକ୍ତି ଏଭଳି ଜୀବିକା ଆପଣେଇନେବେ, ଯାହାଦ୍ୱାରା ଅନ୍ୟମାନଙ୍କର କିଛି ବି କ୍ଷତି ହେବନାହିଁ । ପାଂଚଟି ଜୀବିକା ସର୍ବଦା ବର୍ଜନୀୟ । ସେଗୁଡିକ ହେଲା – (୧) ଜୀବହତ୍ୟା କରି ମାଂସ ବ୍ୟବସାୟ, (୨) ଅସ୍ତ୍ରଶସ୍ତ୍ର ବ୍ୟବସାୟ, (୩) ଦାସ ବ୍ୟବସାୟ, (୪) ମାଦକଦ୍ରବ୍ୟ ବ୍ୟବସାୟ ଓ (୫) ବିଷ ଔଷଧୀୟ ବ୍ୟବସାୟ । ଶାନ୍ତିଦାୟକ ଜୀବିକା ବା ବ୍ୟବସାୟରେ ନିଯୁକ୍ତ ରହି ଉପାର୍ଜନ କରିବାକୁ ଆଜୀବ ମଧ୍ୟ କୁହାଯାଏ । ସେଗୁଡିକ ହେଲା-ପଶୁପାଳନ, କୃଷିକର୍ମ, ବାଣିଜ୍ୟ, ଶିଳ୍ପ, ରାଜ୍ୟ ଶାସନରେ ସେବା କାର୍ଯ୍ୟ ।
ସତ୍ ଉଦ୍ୟମ– ସତ୍ ଉଦ୍ୟମର ଅର୍ଥ ସବୁବେଳେ ଭଲ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିବା । ସବୁବେଳେ ଅକଲ୍ୟାଣକାରୀ ପରିସ୍ଥିତିକୁ ଦୃଢତାର ସହିତ ଦମନ କରିବା । ଯେଉଁ ଉଦ୍ୟମଦ୍ୱାରା ସମାଜର ଉନ୍ନତି ସାଧନ ହୋଇପାରିବ ତାହା ଆରମ୍ଭ କରିବା ଏବଂ ତାହାକୁ ଶୀଘ୍ର ସମାପ୍ତ କରିବା, ସବୁବେଳେ ପରହିତପାଇଁ ଉଦ୍ୟମରତ ରହିବା ଆଦି କାର୍ଯ୍ୟକୁ ସତ୍ ଉଦ୍ୟମ କୁହାଯାଏ ।
ସତ୍ ଚେତନା – ସତ୍ ଚେତନା ହେଉଛି ମନରୁ ଅହଂକାର ଭାବ ଦୂର କରିବା, ସଦାସର୍ବଦା ନିଜେ ସଚେତନ ରହି ଲାଭରେ ଉଲ୍ଲସିତ ଓ କ୍ଷତିରେ ବିଚଳିତ ନ ହୋଇ ସତ୍ ଚିନ୍ତାରେ ନିମଗ୍ନ ରହିବା, ନିଜର ମନର ଭାବନାକୁ କଳୁଷିତ ହେବାରୁ ନିବୃତ କରିବାକୁ ସଚେତନ ରହିବା; ଧ୍ୟାନ, ଧାରଣା ଓ ପ୍ରାଣାୟାମ ପ୍ରଭୃତିକୁ ଦୈନନ୍ଦିନ ଜୀବନର ଅଂଶ ଭାବେ ଗ୍ରହଣ କରି ମାନସିକ ଏକାଗ୍ରତା ବୃଦ୍ଧି କରିବାରେ ଯତ୍ନବାନ ହେବା ।
ସତ୍ ସମାଧି– ସତ୍ ସମାଧିର ଅର୍ଥ ସମସ୍ତ ପ୍ରକାର ଭୋଗବିଳାସର କାମନାକୁ ଦୂରେଇଦେଇ ନିଜ ଚିତ୍ତ ସ୍ଥିର ରଖି ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବା । ଇନ୍ଦ୍ରିୟଲାଳସା, ଦୁଶ୍ଚିନ୍ତା ଓ କଳୁଷିତ ଭାବନାକୁ ମନରୁ ପୋଛିଦେଇ ପ୍ରଫୁଲ୍ଲତା ଅନୁଭବ କରିବା ହେଉଛି ସତ୍ ସମାଧିର ଉଦ୍ଧେଶ୍ୟ । ମନକୁ ଏକାଗ୍ର କରିବାର ଅଭ୍ୟାସ କରିବାପାଇଁ ଧ୍ୟାନ କରିବା ନିହାତି ଆବଶ୍ୟକ । ଧ୍ୟାନଦ୍ୱାରା ମନୁଷ୍ୟ ଏକାଗ୍ରତା ଲାଭ କରି ସୃଷ୍ଟିର ପ୍ରକୃତ ସ୍ୱରୂପ ଜାଣିବାକୁ ସକ୍ଷମ ହୋଇପାରେ । ସତ୍ ସମାଧି ବଳରେ ମନ ଶୃଙ୍ଖଳିତ ହୋଇଥାଏ ଓ ସତ୍ ବୁଦ୍ଧି, ସତ୍ ଭାବନା, ମନୁଷ୍ୟ ମନରେ ପବିତ୍ରତା ଆଣିଦିଏ ।
ବୁଦ୍ଧଙ୍କ ପ୍ରଦର୍ଶିତ ଅଷ୍ଟମାର୍ଗର ପ୍ରତ୍ୟେକ ମାର୍ଗ ଅନ୍ୟଟିର ପରିପୂରକ । ମାନବ ଯଦି ନୀତିବାଦୀ (ନୈତିକ) ହୁଏ ତେବେ ଧ୍ୟାନ ସହଜ ହୋଇଯାଏ ଏବଂ ଏହାଦ୍ୱାରା ଜ୍ଞାନଲାଭ ନିକଟତର ହୋଇଆସେ । ଫଳତଃ ପ୍ରକୃତ ସତ୍ୟ ଅନୁଭୂତ ହୁଏ ଏବଂ ମାନବ ନିର୍ବାଣ ଉପଲବ୍ଧ କରେ ଓ ପରମ ସୁଖ ପ୍ରାପ୍ତ ହୁଏ ।
ବୌଦ୍ଧଧର୍ମର ମୌଳିକ ନୀତିଗୁଡିକ ‘ପଂଚଶୀଳ’ ଭାବରେ ପ୍ରସିଦ୍ଧ । ଏହାକୁ ପ୍ରତ୍ୟେକ ବୌଦ୍ଧଧର୍ମାବଲମ୍ବୀ ପାଳନ କରିବା ବିଧେୟ ବୋଲି କୁହାଯାଇଛି । ସେଗୁଡିକ ହେଲା-(୧) ଜୀବହତ୍ୟାରୁ ନିବୃତ ରହିବା, ଏଭଳିକି କୌଣସି ଜୀବକୁ ଯନ୍ତ୍ରଣା ଦେବାରୁ ନିବୃତ ରହିବା । (୨) ଚୋରି ନ କରିବା ଓ ଯେ କୌଣସି ଦୁର୍ନୀତିଯୁକ୍ତ କାର୍ଯ୍ୟରୁ ଦୂରେଇ ରହିବା, ଉତ୍କୋଚ ବା ଲାଞ୍ଚ ଗ୍ରହଣ ନ କରିବା; (୩) ଯୌନ ବ୍ୟଭିଚାର ଓ ଅନୈତିକ ନାରୀ ସମ୍ପର୍କରୁ ନିବୃତ ରହିବା, ପରନାରୀ ପ୍ରତି ଆକୃଷ୍ଟ ନ ହେବା; (୪) ମିଥ୍ୟା ନ କହିବା ଓ ସର୍ବଦା ସତ୍ୟ ବଚନ କହିବା, ଅନ୍ୟର କୁତ୍ସାରଟନା ନ କରିବା, ଏଭଳିକି ରୁକ୍ଷ ଭାଷା ମଧ୍ୟ ପ୍ରୟୋଗ ନ କରିବା; (୫) କୌଣସି ପ୍ରକାରର ମାଦକଦ୍ରବ୍ୟ ସେବନ ନ କରିବା ।
ଧର୍ମଚକ୍ର ପ୍ରବର୍ତ୍ତନ
“ଜନ୍ମ-ଦୁଃଖ, ଜରା-ଦୁଃଖ, ବ୍ୟାଧି-ଦୁଃଖ, ମରଣ-ଦୁଃଖ, ଅପ୍ରିୟ ମିଳନ-ଦୁଃଖ, ପ୍ରିୟ ବିଚ୍ଛେଦ-ଦୁଃଖ, ଈପ୍ସିତ ବସ୍ତୁ ନ ପାଇବାର ଦୁଃଖ, ସଂକ୍ଷେପରେ ପଂଚସ୍କନ୍ଧ ଯଥା – ରୂପ, ବେଦନା, ସଂଜ୍ଞା, ସଂସ୍କାର ଓ ବିଜ୍ଞାନ- ଯାହାର ସମଷ୍ଟିରେ ‘ନାମରୂପ’ର ଉତ୍ପତି, ତାହା ହିଁ ଦୁଃଖ । ଏହାକୁ ‘ଦୁଃଖ-ଆର୍ଯ୍ୟସତ୍ୟ’ ବୋଲି କୁହାଯାଏ ।”
ବୁଦ୍ଧଙ୍କର ରାଜନୈତିକ, ଆର୍ଥନୀତିକ ଓ ସାମାଜିକ ଦିଗ୍ଦର୍ଶନ
ବୁଦ୍ଧ ତାଙ୍କ ଜୀବନକାଳରେ ବହୁ ପ୍ରବଚନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ପ୍ରଦାନ କରିଥିଲେ । ସେଗୁଡିକର ବିଶ୍ଲେଷଣ କଲେ ତାଙ୍କର ରାଜନୈତିକ, ଆର୍ଥନୀତିକ ଚିନ୍ତାଧାରା ଓ ସମାଜର କିଭଳି ଉନ୍ନତି ହେବ ସେସବୁ ସମ୍ବନ୍ଧରେ ଜାଣି ହୁଏ । ସେ ଦେଇଥିବା ଉପଦେଶଗୁଡିକ ଚିରଜାଜ୍ଜ୍ୱଲ୍ୟମାନ ।
ରାଜନୈତିକ ଦିଗ୍ଦର୍ଶନ : ବୁଦ୍ଧ ଗଣତନ୍ତ୍ର ଶାସନରେ ବିଶ୍ୱାସୀ ଥିଲେ । ଯେଉଁ ଶାସନ ଲୋକମାନଙ୍କ ସମ୍ମତିରେ ପରିଚାଳିତ ହୁଏ ତାହା ସର୍ବମଙ୍ଗଳକାରୀ ହୋଇଥାଏ । ଶାସନକର୍ତ୍ତାମାନଙ୍କ ଉପରେ ଦେଶର ଉନ୍ନତି ନିର୍ଭର କରେ । ପ୍ରଶାସକମାନେ ଉତ୍ତମ ବ୍ୟକ୍ତି ହେଲେ ତାଙ୍କର ଅଧସ୍ତନ କର୍ମଚାରୀମାନେ ଭଲ ହୁଅନ୍ତି, ସାଧାରଣ ଲୋକେ ଭଲରେ ରହନ୍ତି ଏବଂ ଦେଶ ସମୃଦ୍ଧ ହୁଏ । ଶାସକମାନେ ଶିକ୍ଷିତ, ବୁଦ୍ଧିମାନ, ଜ୍ଞାନୀ ଓ ଦକ୍ଷ ହେବା ନିତ୍ୟାନ୍ତ ଆବଶ୍ୟକ । ସେମାନେ ଉଦାର, ମିଷ୍ଟଭାଷୀ, ପରୋପକାରୀ ଓ ନିରପେକ୍ଷ ହେବା ଅତ୍ୟନ୍ତ ଜରୁରୀ । ଦଶଟି ରାଜଧର୍ମକୁ ଅନୁସରଣ କରିବାକୁ ସେ କହିଥିଲେ । ସେଗୁଡିକ ହେଉଛି – (୧) ଉଦାରତା, (୨) ନୈତିକତା, (୩) ଆତ୍ମତ୍ୟାଗ, (୪) ସାଧୁତା, (୫) ସହାନୁଭୂତି, (୬) ଶୃଙ୍ଖଳା, (୭) ବିଦ୍ୱେଷହୀନତା, (୮) ଅହିଂସା, (୯) ଧୈର୍ଯ୍ୟ, (୧୦) ବନ୍ଧୁବତ୍ସଳତା ।
ସାମଗ୍ରିକ ଉନ୍ନତିପାଇଁ ସେ ସାତୋଟି ନୀତି ଅନୁସରଣ କରିବାକୁ ଜୋର୍ ଦେଇଥିଲେ । (୧) ଶାସନରେ ସଂପୃକ୍ତ ଲୋକମାନେ ନିୟମିତ ବ୍ୟବଧାନରେ ମିଳିତ ହୋଇ ବିଚାରବିମର୍ଶ କରିବେ । (୨) ଏକତାବଦ୍ଧ ଭାବରେ କାର୍ଯ୍ୟ କରିବେ, (୩) ପ୍ରତିଷ୍ଠିତ ଆଇନକୁ ସମ୍ମାନ ଦେବେ, (୪) ବରିଷ୍ଠ ନାଗରିକମାନଙ୍କର ଉପଦେଶ ମାନିବେ, (୫) ନାରୀ ସମାଜକୁ ସମ୍ମାନ ଦେବେ, (୬) ଧର୍ମାନୁଷ୍ଠାନ, ପ୍ରାର୍ଥନା ସ୍ଥଳର ସୁରକ୍ଷା କରିବେ, (୭) ସାଧୁସନ୍ଥ ଓ ଧର୍ମପ୍ରଚାରକମାନଙ୍କୁ ସମ୍ମାନ ଦେବେ, ତାଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବେ ।
‘କୂତଦନ୍ତସୂତ’ରେ ବୁଦ୍ଧ କହିଛନ୍ତି ଯେ ଜନ ଅସନ୍ତୋଷ ଓ ବିଦ୍ରୋହ ଦମନ ପାଇଁ ଦଣ୍ଡ ବ୍ୟବସ୍ଥା ଆଦୌ ଅନୁକୂଳ ନୁହେଁ । ମାତ୍ର ଆର୍ଥନୀତିକ ସମୃଦ୍ଧିଦ୍ୱାରା ଏହା ସମ୍ଭବ । ଜନସାଧାରଣ ଯେଉଁ କର୍ମ କରିବାର ସୁବିଧା, ସୁଯୋଗ ଓ ପ୍ରୋତ୍ସାହନ ପାଇବା ଆବଶ୍ୟକ, ତାହା ହେଉଛି – (୧) କୃଷି, (୨) ପଶୁପାଳନ, (୩) ଶିଳ୍ପ, (୪) ବାଣିଜ୍ୟ ଓ (୫) ରାଜସେବା ।
ବୁଦ୍ଧ କହିଥିଲେ- ପ୍ରତ୍ୟେକ ବ୍ୟକ୍ତିର ଚାରିଗୋଟି ମୌଳିକ ଆବଶ୍ୟକତା ଅଛି । (୧) ଅନ୍ନ, (୨) ବସ୍ତ୍ର, (୩) ବାସଗୃହ ଓ (୪) ଚିକିତ୍ସା । ସମଗ୍ର ଶାସନ ବ୍ୟବସ୍ଥାର ଲକ୍ଷ୍ୟ ପ୍ରାଣୀମାନଙ୍କ ମଙ୍ଗଳ ଓ ସମସ୍ତଙ୍କୁ ସୁଖ ପ୍ରଦାନ ।
ଆର୍ଥନୀତିକ ଦିଗ୍ଦର୍ଶନ : ବୌଦ୍ଧଧର୍ମରେ ଧନ ଅର୍ଜନ କାର୍ଯ୍ୟକୁ ଉତ୍ସାହିତ କରାଯାଏ । ଧନସମ୍ପଦ ସୁଖପ୍ରାପ୍ତିର ମୂଳ ଆଧାର । କିନ୍ତୁ ଧନ ଅର୍ଜନ ନୈତିକ ମୂଲ୍ୟବୋଧ ଭିତିରେ ହେବା ଆବଶ୍ୟକ । ସତ୍ ଉପାୟରେ ଅର୍ଜିତ ସମ୍ପତ୍ତି ପ୍ରକୃତ ସୁଖ ପ୍ରଦାନ କରିଥାଏ । ଅନୈତିକ ଉପାୟରେ ଅର୍ଜିତ ଧନ ସମସ୍ତ ଅଶାନ୍ତିର କାରଣ ହୋଇଥାଏ । ‘ସମୃଦ୍ଧି ଓ ଲୋକମଙ୍ଗଳ’ ଉଦ୍ଧେଶ୍ୟରେ ପ୍ରଦତ୍ତ ପ୍ରବଚନରେ ବୁଦ୍ଧଦେବ କହିଛନ୍ତି ଯେ ଆର୍ଥନୀତିକ ସମୃଦ୍ଧିପାଇଁ ଚାରିଗୋଟି ଅବସ୍ଥା ପାଳନ କରିବାର ଆବଶ୍ୟକତା ଅଛି । ସେଗୁଡିକ ହେଲା – (୧) ନିରନ୍ତର ଉଦ୍ୟମ, (୨) ସାବଧାନତା, (୩) ଉତ୍ତମ ବନ୍ଧୁତା, (୪) ସୁବ୍ୟବସ୍ଥିତ କାର୍ଯ୍ୟକଳାପ ।
ଆର୍ଥନୀତିକ ସମୃଦ୍ଧି ଏବଂ ଅର୍ଥର ସମୂହ ବଂଟନ ଉପରେ ବୁଦ୍ଧ ଗୁରୁତ୍ୱ ଆରୋପ କରୁଥିଲେ । ଅର୍ଥର ସମବଂଟନ ନ ହେଲେ ଲୋକ ଗରିବ ହୁଅନ୍ତି ଏବଂ ଚୋରି, ମିଥ୍ୟାଚାର, ଦୁର୍ନୀତି ବୃଦ୍ଧି ପାଏ । ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୁଏ ଏବଂ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟେ । ଏହି ତତ୍ତ୍ୱ ସେ ‘ଚକ୍କବତୀସିହାନନ୍ଦ ସୂତ’ ରେ ବର୍ଣ୍ଣନା କରିଛନ୍ତି ।
ବୁଦ୍ଧଦେବ ପାଂଚଗୋଟି ବୃତି ଆପଣେଇବାକୁ ନିଷେଧ କରିଛନ୍ତି । ତାହା ହେଲା-(୧) କ୍ରୀତଦାସ (ଗୋତି) ବ୍ୟବସାୟ, (୨) ମାଂସ ବ୍ୟବସାୟ, (୩) ଅସ୍ତ୍ରଶସ୍ତ୍ର ବ୍ୟବସାୟ, (୪) ବିଷାକ୍ତ ଦ୍ରବ୍ୟର ବ୍ୟବସାୟ ଓ (୫) ମାଦକ ଦ୍ରବ୍ୟର ବ୍ୟବସାୟ । ଧନସମ୍ପଦ ନିଜର ତଥା ଅନ୍ୟମାନଙ୍କର କଲ୍ୟାଣରେ ବିନିଯୋଗ ହେବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ସଂଚୟ କରିବାପାଇଁ ନୁହେଁ ବୋଲି ବୁଦ୍ଧ କହିଛନ୍ତି । ସେ ବ୍ୟକ୍ତିଙ୍କୁ ଋଣଗ୍ରସ୍ତ ନ ହେବାକୁ ମଧ୍ୟ ଉପଦେଶ ଦେଇଛନ୍ତି ।
ସାମାଜିକ ଦିଗ୍ଦର୍ଶନ : ସାଧାରଣ ଗୃହୀ ଲୋକମାନେ ସୁଖ ସ୍ୱାଚ୍ଛନ୍ଦ୍ୟରେ ଜୀବନଯାପନ କରିବାକୁ ‘ତ୍ରିପିଟକ’ରେ ବହୁ ଉପଦେଶ ଦିଆଯାଇଛି । ‘ସିଗଲ ସୂତ୍ର’ ବା ‘ଗୃହସ୍ଥର କର୍ତ୍ତବ୍ୟ’ ଧର୍ମୋପଦେଶରେ ଗୃହରେ କର୍ତ୍ତବ୍ୟ ଓ ସମାଜରେ କର୍ତ୍ତବ୍ୟ ସମ୍ବନ୍ଧରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଅଛି । ଏଥିରେ ପିତାମାତାଙ୍କର ସନ୍ତାନସନ୍ତତିଙ୍କ ପ୍ରତି ଓ ସନ୍ତାନସନ୍ତତିଙ୍କର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ, ସ୍ୱାମୀଙ୍କର ସ୍ତ୍ରୀଙ୍କ ପ୍ରତି ଓ ସ୍ତ୍ରୀଙ୍କର ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ, ଗୃହସ୍ଥଙ୍କର ବନ୍ଧୁବାନ୍ଧବଙ୍କ ପ୍ରତି ଓ ବନ୍ଧୁବାନ୍ଧବଙ୍କର ଗୃହସ୍ଥଙ୍କ ପ୍ରତି କର୍ତ୍ତବ୍ୟ, ଗୁରୁଙ୍କର ଛାତ୍ରଙ୍କ ପ୍ରତି ଓ ଛାତ୍ରଙ୍କର ଗୁରୁଙ୍କ ପ୍ରତି କର୍ତ୍ତବ୍ୟ, ନିଯୁକ୍ତିଦାତାଙ୍କର ନିଯୁକ୍ତବ୍ୟକ୍ତିଙ୍କ ପ୍ରତି ଓ ନିଯୁକ୍ତବ୍ୟକ୍ତିଙ୍କର ନିଯୁକ୍ତିଦାତାଙ୍କ ପ୍ରତି କର୍ତ୍ତବ୍ୟ, ଜନସାଧାରଣଙ୍କର ଧର୍ମଗୁରୁଙ୍କ ପ୍ରତି ଓ ଧର୍ମଗୁରୁଙ୍କର ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ ଆଦି ଛଅ ଗୋଟି କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ରହିଛି ।
ପିତାମାତାଙ୍କର ସନ୍ତାନସନ୍ତତିଙ୍କ ପ୍ରତି କର୍ତ୍ତବ୍ୟ : ଅପରାଧ ନ କରିବାକୁ ଉପଦେଶ ଦେବା, ମଙ୍ଗଳ କର୍ମ କରିବାପାଇଁ ଉତ୍ସାହିତ କରିବା, ଜୀବିକାର୍ଜନପାଇଁ ବୃତ୍ତି ପ୍ରଦାନକାରୀ ଶିକ୍ଷା ଦେବା, ଉପଯୁକ୍ତ ବିବାହପାଇଁ ସୁବନ୍ଦୋବସ୍ତ କରିବା, ପ୍ରତ୍ୟେକଙ୍କ ପ୍ରାପ୍ୟ ନିର୍ଦ୍ଦିଷ୍ଟ ସମୟରେ ହସ୍ତାନ୍ତର କରିବା ।
ସନ୍ତାନସନ୍ତତିଙ୍କର ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ : ବାର୍ଦ୍ଧକ୍ୟରେ ସହାୟ ହେବା, ସେମାନଙ୍କ କାମ କରିଦେବା, ପିତାମାତାଙ୍କ ପରମ୍ପରା ରକ୍ଷା କରିବା, ପରିବାରର ଦାୟାଦ ହେବାପାଇଁ ଯୋଗ୍ୟତା ହାସଲ କରିବା, ବିଦାୟ ନେଇଥିବା ପିତାମାତାଙ୍କ ଉଦ୍ଧେଶ୍ୟରେ ପ୍ରତିଦିନ ଅନ୍ନଦାନ କରିବା ।
ସ୍ୱାମୀଙ୍କର ସ୍ତ୍ରୀଙ୍କ ପ୍ରତି କର୍ତ୍ତବ୍ୟ : ସ୍ତ୍ରୀଙ୍କ ପ୍ରତି ଶିଷ୍ଟାଚାର ପ୍ରଦର୍ଶନ କରିବା, ସ୍ତ୍ରୀଙ୍କ ପ୍ରତି ତାତ୍ସ୍ୟଲ୍ୟଭାବ ପ୍ରଦର୍ଶନ ନ କରିବା, ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ହେବା, ସ୍ତ୍ରୀଙ୍କୁ ତାଙ୍କ କର୍ମ କରିବାର ଅଧିକାର ଦେବା, ସ୍ତ୍ରୀଙ୍କୁ ଉପଯୁକ୍ତ ବସ୍ତ୍ର, ଭୂଷଣ ପ୍ରଦାନ କରିବା ।
ସ୍ତ୍ରୀଙ୍କର ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ : ଗୃହ ସମ୍ବନ୍ଧୀୟ କର୍ମ ଠିକ୍ ଭାବେ କରିବା, ବନ୍ଧୁ, ବାନ୍ଧବ, ଆତ୍ମୀୟ ସ୍ୱଜନଙ୍କ ପ୍ରତି ସେବାପରାୟଣ ହେବା, ସ୍ୱାମୀଙ୍କର ବିଶ୍ୱସ୍ତ ହେବା, ସ୍ୱାମୀଙ୍କର ଧନ, ସଂପଦ ଓ ବ୍ୟବହାର୍ଯ୍ୟ ବସ୍ତୁର ସୁରକ୍ଷା କରିବା, ସ୍ୱାମୀଙ୍କର ଦୁଃସ୍ଥିତିର ଦୂରୀକରଣ କରିବାକୁ ସମର୍ଥ ଓ ଚଂଚଳ ହେବା ।
ଗୃହସ୍ଥଙ୍କର ବନ୍ଧୁବାନ୍ଧବଙ୍କ ପ୍ରତି କର୍ତ୍ତବ୍ୟ : ବନ୍ଧୁବାନ୍ଧବଙ୍କ ପ୍ରତି ଉଦାର ହେବା, ସେମାନଙ୍କ ପ୍ରତି ସଦାଚାରୀ ହେବା, ସେମାନଙ୍କ ପ୍ରତି ସହାୟ ହେବା, ସେମାନଙ୍କ ପ୍ରତି ନିରପେକ୍ଷ ହେବା, ସେମାନଙ୍କ ପ୍ରତି ନିଷ୍ଠାପର ହେବା ।
ବନ୍ଧୁବାନ୍ଧବଙ୍କର ଗୃହସ୍ଥଙ୍କ ପ୍ରତି କର୍ତ୍ତବ୍ୟ : ବିପଦ ଆପଦରେ ସୁରକ୍ଷା ଦେବା, ଗୃହସ୍ଥ ଯେତେବେଳେ ଉଦାସ ହୁଅନ୍ତି ସେତେବେଳେ ତାଙ୍କ ଧନସମ୍ପତ୍ତିର ସୁରକ୍ଷା କରିବା, ଗୃହସ୍ଥ ଯେତେବେଳେ ବିପଦଗ୍ରସ୍ତ, ତାଙ୍କୁ ଆଶ୍ରୟ ଦେବା, ଗୃହସ୍ଥ ଯେତେବେଳେ କିଛି ଅସୁବିଧାରେ ଅଛନ୍ତି ତାଙ୍କୁ ପରିତ୍ୟାଗ ନ କରିବା, ଗୃହସ୍ଥଙ୍କ ପରିବାର ପ୍ରତି ସର୍ବଦା ସୁବିଚାର କରିବା ।
ଗୁରୁଙ୍କର ଛାତ୍ରଙ୍କ ପ୍ରତି କର୍ତ୍ତବ୍ୟ : ସର୍ବଶ୍ରେଷ୍ଠ ଶୃଙ୍ଖଳା ପ୍ରତି ତାଲିମ ପ୍ରଦାନ କରିବା, ଛାତ୍ରମାନେ ଯେପରି ତାଙ୍କର ପାଠ୍ୟ ଉତ୍ତମ ରୂପେ ଅଧ୍ୟୟନ କରିବେ ସେଥିପ୍ରତି ଧ୍ୟାନ ରଖିବା, ଛାତ୍ରମାନଙ୍କୁ ଉଭୟ କଳା ଓ ବିଜ୍ଞାନ ପାଠ୍ୟ ଶିକ୍ଷାଦେବା, ଉଚ୍ଚତର ଅଧ୍ୟୟନ ଓ ଅଧ୍ୟବସାୟପାଇଁ ଛାତ୍ରଙ୍କୁ ଅନୁରକ୍ତ କରିବା, ଛାତ୍ରମାନଙ୍କର ନିରାପତ୍ତା ପ୍ରତି ନିଷ୍ଠାପର ଭାବରେ ଧ୍ୟାନ ଦେବା ।
ଛାତ୍ରମାନଙ୍କର ଗୁରୁଙ୍କ ପ୍ରତି କର୍ତ୍ତବ୍ୟ : ଗୁରୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ଗୁରୁମାନଙ୍କର ନିର୍ଦ୍ଧେଶ ପାଳନ କରିବା, ଅଧ୍ୟୟନପାଇଁ ଉତ୍କଣ୍ଠା ପ୍ରଦର୍ଶନ କରିବା, ଶିକ୍ଷାଗ୍ରହଣ ସମୟରେ ମନଧ୍ୟାନ ଦେବା, ଦରକାର ପଡିଲେ ଗୁରୁଙ୍କର ସେବା କରିବା ଓ ତାଙ୍କର ଯତ୍ନ ନେବା ।
ନିଯୁକ୍ତିଦାତା (ମାଲିକ)ଙ୍କର ନିଯୁକ୍ତ ବ୍ୟକ୍ତି (ଶ୍ରମିକ)ଙ୍କ ପ୍ରତି କର୍ତ୍ତବ୍ୟ : ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ଶ୍ରମିକଙ୍କୁ କାର୍ଯ୍ୟ ଦେବା, ଶ୍ରମିକଙ୍କୁ ଖାଦ୍ୟ ଓ ଉପଯୁକ୍ତ ପାରିଶ୍ରମିକ ଦେବା, ସେମାନଙ୍କର ଅସୁସ୍ଥତାରେ ସେମାନଙ୍କୁ ଚିକିତ୍ସା ଯୋଗାଇଦେବା, ଯେ କୌଣସି ଅସହାୟ ପରିସ୍ଥିତିରେ ଶ୍ରମିକଙ୍କୁ ସହାୟତା କରିବା, ଆବଶ୍ୟକ ସମୟରେ ଶ୍ରମିକଙ୍କୁ ଛୁଟି ମଧ୍ୟ ପ୍ରଦାନ କରିବା ।
ନିଯୁକ୍ତ ବ୍ୟକ୍ତି (ଶ୍ରମିକ)ଙ୍କର ନିଯୁକ୍ତିଦାତା (ମାଲିକ) ଙ୍କ ପ୍ରତି କର୍ତ୍ତବ୍ୟ : ମାଲିକ ଆସିବା ପୂର୍ବରୁ କର୍ମରେ ଯୋଗଦାନ କରିବା, ମାଲିକ ଶୋଇବା ପରେ ଯାଇ ନିଜେ ବିଛଣାକୁ ଯିବା, ମାଲିକ ଯାହା ପ୍ରଦାନ କଲେ ତାହାହିଁ ଗ୍ରହଣ କରିବା, ସମସ୍ତ କାର୍ଯ୍ୟ ନିପୁଣ ଭାବେ ସଂପାଦନ କରିବା, ମାଲିକଙ୍କର ସୁନାମ ଓ ସୁଖ୍ୟାତିର ସୁରକ୍ଷା କରିବା ।
ଜନସାଧାରଣଙ୍କର ଧର୍ମଗୁରୁଙ୍କ ପ୍ରତି କର୍ତ୍ତବ୍ୟ : ସମ୍ମାନ ପ୍ରଦର୍ଶନ କରିବା, ମଧୁର ଓ ସ୍ନେହପୂର୍ଣ୍ଣ ବାକ୍ୟାଳାପ କରିବା, ସେମାନଙ୍କୁ ସାକ୍ଷାତ କରିବାରେ ଆନନ୍ଦ ଅନୁଭବ କରିବା, ସେମାନଙ୍କୁ ସ୍ୱାଗତ କରିବା, ଧର୍ମଗୁରୁ ଓ ଧର୍ମପ୍ରଚାରକଙ୍କୁ ତାଙ୍କର ପ୍ରୟୋଜନୀୟ ସାମଗ୍ରୀ ଯୋଗାଇ ଦେବା ।
ଧର୍ମଗୁରୁଙ୍କର ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ : ଜନସାଧାରଣଙ୍କୁ ଅହିତକର କାର୍ଯ୍ୟରୁ ନିବୃତ କରିବା, ସେମାନଙ୍କୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇବା, ସେମାନଙ୍କ ପ୍ରତି ସଦୟ ହେବା, ଜନସାଧାରଣ ଯାହା ଶୁଣି ନାହାଁନ୍ତି ତାହା ତାଙ୍କୁ ଶୁଣାଇବା, ସେମାନେ ଯାହା ଶୁଣିଛନ୍ତି ତାହାକୁ ଠିକ୍ ଭାବେ ବୁଝାଇଦେବା, ଜନସାଧାରଣଙ୍କୁ ସୁସ୍ଥ ଜୀବନଲାଭର ମାର୍ଗ ବତାଇ ଦେବା ।
ଧର୍ମଶିକ୍ଷା ପ୍ରତି ଘୃଣା; ଦୁଷ୍ଟଜନ ପ୍ରତି ଶ୍ରଦ୍ଧା ଓ ଗୁଣୀ ଲୋକଙ୍କ ପ୍ରତି ଅନାଦର; ନିଦ୍ରାପ୍ରିୟତା, ସାଙ୍ଗସୁଖ, କର୍ମବିମୁଖତା, ଆଳସ୍ୟ ଓ ବଦ୍ରାଗୀ ସ୍ୱଭାବ; ବୟୋବୃଦ୍ଧ ମାତା ଓ ପିତାଙ୍କୁ ସହାୟ ନ ହେବା; ଧର୍ମୋପଦେଷ୍ଟାଙ୍କୁ ପ୍ରତାରିତ କରିବା ଓ ମିଥ୍ୟାଚାର ପ୍ରଦର୍ଶନ କରିବା; ଧନସଂପଦ ଠୁଳକରି ବିଳାସପୂର୍ଣ୍ଣ ଜୀବନଯାପନ କରିବା; ନିଜର ଜ୍ଞାତି, କୁଟୁମ୍ବ ଗୋଷ୍ଠୀ, ଧନ, ସଂପଦ, କ୍ଷମତାଯୋଗୁଁ ଗର୍ବିତ ହେବା ଓ ଅନ୍ୟକୁ ହେୟ ମନେକରିବା; ବ୍ୟସନୀ, ମଦ୍ୟପୀ, ଜୁଆଡୀ ଓ ବଦ୍ଖର୍ଚ୍ଚୀ ହେବା; ନିଜ ସ୍ତ୍ରୀଙ୍କଠାରେ ସନ୍ତୁଷ୍ଟ ନ ରହି ଅନ୍ୟ ସ୍ତ୍ରୀ ସଙ୍ଗ କରିବା; ବୟସ୍କ ହେବା ସତ୍ୱେ ଯୁବତୀ ସ୍ତ୍ରୀ ବିବାହ କରିବା ଓ ଈର୍ଷାପରାୟଣ ଜୀବନଯାପନ କରିବା; ରୋଜଗାରହୀନ କିମ୍ବା ନିଶାସକ୍ତ ପୁରୁଷ ଅଥବା ସ୍ତ୍ରୀଙ୍କୁ କ୍ଷମତା ପ୍ରୟୋଗ କରିବାର ଅଧିକାର ପ୍ରଦାନ କରିବା; ବିଶାଳ ଅଭିଳାଷ ପୋଷଣ କରିବା, ଅଥଚ ସୀମିତ ଧନର ଅଧିକାରୀ ହୋଇ ଶାସନ କରିବାର ଆକାଂକ୍ଷା ପଛରେ ଅନୁଧାବନ କରିବା ଆଦି କାରଣଯୋଗୁଁ ମାନବର ପତନ ହୋଇଥାଏ ବୋଲି ବୁଦ୍ଧ ତାଙ୍କ ପ୍ରଦତ୍ତ ‘ପରାଭବ ସୂତ୍ର’ରେ ଦର୍ଶାଇଛନ୍ତି । ଏହି କାରଣଗୁଡିକ ମଧ୍ୟ ମାନବର ଉତ୍ଥାନରେ ଅନ୍ତରାୟ ଓ ଅଧଃପତନ ଆଣିଥାଏ ।
ବୁଦ୍ଧ ମାନବଜାତିର ଐକ୍ୟ ଘୋଷଣା କରିଥିଲେ । ସେ ଜାତି ଅଥବା ସାଂପ୍ରଦାୟିକ ଭେଦଭାବ ବିରୁଦ୍ଧରେ ମତ ପୋଷଣ କରୁଥିଲେ । ‘ବାସେତା ସୂତ୍ର’ରେ ବୁଦ୍ଧ ଦର୍ଶାଇଛନ୍ତି ଯେ ସବୁ ମନୁଷ୍ୟ ଗୋଟିଏ ଜୈବିକ ଗୋଷ୍ଠୀର ଅନ୍ତର୍ଭୁକ୍ତ । ମନୁଷ୍ୟ ଜାତି ମଧ୍ୟରେ କୌଣସି ପ୍ରକାରର ଭିନ୍ନତା ନାହିଁ ।
ତରୁଲତା ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ଅଛି; ପଶୁ ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ରହିଛି; ପକ୍ଷୀ ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ରହିଛି; ମତ୍ସ୍ୟ, କଚ୍ଛପ, ଜଳଚର ଜୀବ, କୀଟ, ପତଙ୍ଗ, ସରୀସୃପ ଜଗତରେ ବିଭିନ୍ନ ଜାତି ଓ ପ୍ରକାରଭେଦ ରହିଛି; ମାତ୍ର ମନୁଷ୍ୟ ଜଗତରେ କୌଣସି ବିଭିନ୍ନତା କିମ୍ବା ଜାତିଗତ ପ୍ରକାର ଭେଦ ଦୃଷ୍ଟିଗୋଚର ହୁଏ ନାହିଁ । ଆଖି, କାନ, ନାକ, ମୁଖ, ହାତ, ଗୋଡ ସବୁ ସମାନ; କେବଳ ଜଳବାୟୁ ଓ ଭୌଗଳିକ ଅବସ୍ଥା ଭେଦରେ ଚର୍ମ ଓ କେଶର ରଂଗରେ ଯାହା କିଛି ଭିନ୍ନତା ଦୃଷ୍ଟିଗୋଚର ହୁଏ ।
ବ୍ରାହ୍ମଣବାଦୀ ଚିନ୍ତା ଧାରା ଓ ଜାତିପ୍ରଥା ବିରୋଧରେ ବୁଦ୍ଧ କହୁଥିଲେ; ତଥାକଥିତ ନୀଚ ଜାତିର ବ୍ୟକ୍ତି ନିଆଁ ଟିକେ ଜଳାଇଲେ ସେ ଯେଉଁ ଉତ୍ତାପ ଓ ଆଲୋକ ପ୍ରଦାନ କରିବ, ଉଚ୍ଚ ଜାତିର ବ୍ୟକ୍ତି ମଧ୍ୟ ନିଆଁ ଜାଳିଲେ ସେହି ଆଲୋକ ବା ଉତ୍ତାପ ପ୍ରଦାନ କରିବ । ଉଚ୍ଚ ଜାତିର ବ୍ୟକ୍ତିର ଜନ୍ମ ଯେପରି ମା’ଠାରୁ ହୋଇଥାଏ, ନୀଚ ଜାତିର ବ୍ୟକ୍ତିର ଜନ୍ମ ମଧ୍ୟ ଠିକ୍ ସେହିପରି ଭାବେ ମା’ଠାରୁ ହିଁ ହୋଇଥାଏ । ପ୍ରଭେଦ ବା ବିଭିନ୍ନତା ଏମିତି କିଛି ବି ନାହିଁ । ଯେଉଁ ଜାତି, ବଂଶ ବା ଗୋଷ୍ଠୀର ମଣିଷ ହୁଅନ୍ତୁ ନା କାହିଁକି- ରୋଗ, ବାର୍ଦ୍ଧକ୍ୟ ଓ ମୃତ୍ୟୁ ସମସ୍ତଙ୍କ ପାଇଁ ସମାନ । ଜାତି, ଗୋଷ୍ଠୀ କିମ୍ବା ବଂଶଗତ କାରଣରୁ ମଣିଷ ଭିତରେ ବିଭିନ୍ନତା ବା ପ୍ରଭେଦର କୌଣସି କାରଣ ନାହିଁ ।
ମଣିଷ ତା’ର କର୍ମ ହେତୁ ପରସ୍ପରଠାରୁ ଭିନ୍ନ, ମାତ୍ର ତା’ର ଜନ୍ମ ହେତୁ ପରସ୍ପରଠାରୁ ଭିନ୍ନ ହେବାର କୌଣସି କାରଣ ନାହିଁ । କର୍ମ, ହିଁ ମଣିଷ ଭିତରେ ଭିନ୍ନତାର କାରଣ ହୁଏ ।
‘ବାସଳ ସୂତ୍ର’ରୁ ଶିକ୍ଷା ମିଳେ ଯେ ଜଣେ ବ୍ୟକ୍ତିର ବଂଶପରିଚୟରୁ ସେ କେବେବି ନୀଚ ହୁଏ ନାହିଁ; ଜଣେ ବ୍ୟକ୍ତିର ବଂଶପରିଚୟରୁ ମଧ୍ୟ ସେ ଉଚ୍ଚ ହୁଏ ନାହିଁ; ବ୍ୟକ୍ତି ତା’ର କର୍ମରୁ ଯେପରି ନୀଚ ଜାତି ବୋଲି ପରିଚିତ ହୁଏ; ଠିକ୍ ସେହିପରି ତା’ର କର୍ମରୁ ଉଚ୍ଚ ବୋଲି ପରିଚିତ ହୁଏ ।
ସେହି ବ୍ୟକ୍ତି କେବଳ ନୀଚ ଜାତିର ଯେ ବଦ୍ରାଗୀ, ନିନ୍ଦାଯୁକ୍ତ କର୍ମରେ ଲିପ୍ତ, ଶଠ ଓ ସ୍ୱାର୍ଥପର; ଯେ ଜୀବ ହତ୍ୟାକାରୀ, ଜୀବ ପୀଡାଦାୟକ, ଆଶାଭଙ୍ଗକାରୀ, ଅତ୍ୟାଚାରୀ ଓ ନିଷ୍ଠୁର; ଯେ ମିଥ୍ୟାଭାଷୀ, ଚୋରି କର୍ମରେ ଲିପ୍ତ ଓ ଋଣ ପରିଶୋଧ କରେ ନାହିଁ; ଯେ ନିଜର ବନ୍ଧୁପତ୍ନୀ କିମ୍ବା ସଂପର୍କୀୟଙ୍କ ପତ୍ନୀଙ୍କର ସଙ୍ଗଲାଭପାଇଁ ବ୍ୟାକୁଳ; ଯେ ନିଜର ବୃଦ୍ଧ ପିତାମାତାଙ୍କୁ ସହାୟ ହୁଏ ନାହିଁ; ନିଜର ପିତାମାତା, ଭାଇଭଉଣୀ, ବନ୍ଧୁବାନ୍ଧବ ଓ ଶ୍ୱଶୁରାଳୟର ସଂପର୍କୀୟଙ୍କୁ ଭର୍ତ୍ସନା କରେ ଓ ଆଘାତ ଦିଏ; ଯେ ସତ୍ୟକଥାକୁ ଲୁଚାଏ ଓ ଅନ୍ୟକୁ ପଥଭ୍ରଷ୍ଟ କରାଏ; ଯେ ମନ୍ଦ କର୍ମ କରୁଥାଏ, ମାତ୍ର ଭଲ ବୋଲି ଛଳନା କରୁଥାଏ; ଯେ ଜଣକ ଘରକୁ ଯାଏ, ଭୋଜନ କରେ, ମାତ୍ର ତା’ ପ୍ରତିବଦଳରେ ସମ୍ମାନ କରେ ନାହିଁ; ଯେ ଧର୍ମଗୁରୁ ବା ଧର୍ମପ୍ରଚାରକଙ୍କୁ ପ୍ରତାରିତ କରେ ଓ ଶିକ୍ଷା ଦିଏ ନାହିଁ; ଯେ ନିଜକୁ ପ୍ରଶଂସିତ କରୁଥାଏ ଓ ଅନ୍ୟ ପ୍ରତି ତାତ୍ସଲ୍ୟଭାବ ପ୍ରଦର୍ଶନ କରୁଥାଏ; ଯେ ଲଜ୍ଜାହୀନ ଏବଂ ଅପକର୍ମ କରିବାକୁ ଭୟ କରେ ନାହିଁ ।
ଏହିପରି କର୍ମରେ ଜଡିତ ଥିବା ବ୍ୟକ୍ତିଙ୍କୁ ଭ୍ରଷ୍ଟ ଓ ଗୋଷ୍ଠୀଛଡା କହନ୍ତି । ଏହି ଲୋକ ଘୃଣିତ ଓ ଅନ୍ୟମାନଙ୍କ ପାଇଁ ଶୋକଦାୟକ ପରିସ୍ଥିତିର କାରଣ ହୁଅନ୍ତି ।
ଜୀବନର ଚଲାପଥରେ ସର୍ବଶ୍ରେଷ୍ଠ ଆଶୀର୍ବାଦ ପାଇବାପାଇଁ କେତେଗୁଡିଏ ମାର୍ଗଦର୍ଶନ ନୀତି ବୁଦ୍ଧଙ୍କ ପ୍ରଦତ୍ତ ‘ମହାମଙ୍ଗଳ ସୂତ୍ର’ରେ ସ୍ଥାନିତ ହୋଇଛି । ସେଗୁଡିକ ହେଲା – (୧) ନିର୍ବୋଧ, ଅସଭ୍ୟଙ୍କ ସହ ସମ୍ପର୍କ ନ ରଖି କେବଳ ଜ୍ଞାନୀ ବ୍ୟକ୍ତିଙ୍କ ସହ ସଙ୍ଗ ସ୍ଥାପନ କରିବା ଓ ସମ୍ମାନିତ ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ଦେବା ହେଉଛି ସର୍ବୋଚ୍ଚ ସତ୍ କାର୍ଯ୍ୟ । (୨) ଉପଯୁକ୍ତ ପରିବେଶରେ ବସବାସ କରିବା, ଲୋକ ହିତକାରୀ କର୍ମରେ ନିଯୁକ୍ତ ରହିବା ଓ ଠିକ୍ ମାର୍ଗରେ ନିଜକୁ ପରିଚାଳିତ କରିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ । (୩) ଉପଯୁକ୍ତ ଶିକ୍ଷାଗ୍ରହଣ କରି, ବ୍ୟାବହାରିକ କର୍ମ କୌଶଳରେ ନିପୁଣ ହୋଇ ଶୃଙ୍ଖଳିତ ଆଚରଣ ସହ ମଧୁରଭାଷୀ ହେବା ସର୍ବଶ୍ରେଷ୍ଠ ଆଶୀର୍ବାଦ । (୪) ପିତାମାତାଙ୍କୁ ସହାୟ ହୋଇ, ପତ୍ନୀ ଓ ସନ୍ତାନସନ୍ତତିଙ୍କୁ ଆନନ୍ଦ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ବୃତ୍ତିରେ ନିଯୁକ୍ତ ରହିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ । (୫) ଦେବାରେ ଉଦାର, ବ୍ୟବହାରରେ ସଦାଚାରୀ, ସଂପର୍କୀୟଙ୍କୁ ସହାୟ ହୋଇ ଯଶଲାଭ କର୍ମରେ ଯୁକ୍ତ ରହିବା ସର୍ବଶ୍ରେଷ୍ଠ ଆଶୀର୍ବାଦ । (୬) ଅପରାଧ ଓ ନିନ୍ଦାଯୁକ୍ତ କର୍ମରୁ ନିବୃତ ରହି, ମାଦକଦ୍ରବ୍ୟ ସେବନ ନ କରି, ପୁଣ୍ୟକର୍ମରେ ତତ୍ପର ରହିବା ହେଉଛି ମହାନ୍ ଆଶୀର୍ବାଦ । (୭) ସମ୍ମାନଯୁକ୍ତ ଓ ବିନୀତ ହୋଇ, ସନ୍ତୁଷ୍ଟ ଏବଂ କୃତଜ୍ଞ ରହି ଉପଯୁକ୍ତ ସମୟରେ ଧର୍ମବାଣୀ ଶୁଣିବା ହେଉଛି ସର୍ବଶ୍ରେଷ୍ଠ ଆଶୀର୍ବାଦ । (୮) ଧୈର୍ଯ୍ୟଶାଳୀ ଓ ଆଜ୍ଞାଧୀନ ହୋଇ, ସନ୍ନ୍ୟାସୀଙ୍କ ସଙ୍ଗ ଲାଭ କରି ଧାର୍ମିକ ଆଲୋଚନାରେ ଅଂଶଗ୍ରହଣ କରିବା ହେଉଛି ସର୍ବୋଚ୍ଚ ଆଶୀର୍ବାଦ । (୯) ଆତ୍ମନିୟନ୍ତ୍ରଣ, ପବିତ୍ର ଓ ସ୍ୱଚ୍ଛ ଜୀବନ, ମହାନ୍ ସତ୍ୟର ଉପଲବ୍ଧି ଓ ନିର୍ବାଣର ଅନୁଭୂତି ହେଉଛି ପରମ ଆଶୀର୍ବାଦ । (୧୦) ପରିସ୍ଥିତିର ବିଡମ୍ବନାରେ ମନକୁ ଶାନ୍ତ ରଖି, ସଂସାରର ଦୁଃଖରୁ ମୁକ୍ତ ରହି, କଳ୍ମଷ ଶୂନ୍ୟ ହୋଇ, ସମସ୍ତ ପ୍ରକାର ଭୟକୁ ମନରୁ ଦୂରେଇ ଦେବା ହେଉଛି ସର୍ବୋଚ୍ଚ ଆଶୀର୍ବାଦ ।
ଉପରୋକ୍ତ ନୀତିଗୁଡିକୁ ସର୍ବୋତ୍ତମ ଭାବେ ଯେ ପାଳନ କରନ୍ତି ସେ ସର୍ବଦା ଦୁର୍ଭେଦ୍ୟ, ଅଜେୟ ହୋଇ ବସବାସ କରନ୍ତି ଏବଂ ସର୍ବସ୍ଥଳରେ ତାଙ୍କୁ କେବଳ ସୁଖ ପ୍ରାପ୍ତି ହୁଏ, ଏହାହିଁ ପରମ ଆଶୀର୍ବାଦ ।
ଅନ୍ଧବିଶ୍ୱାସରେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ବୁଦ୍ଧ ଉପଦେଶ ଦେଇଛନ୍ତି । ପିଲାଙ୍କୁ ବିଜ୍ଞାନ ଓ ସାହିତ୍ୟ ଶିକ୍ଷା ଦେବା ପିତାମାତାଙ୍କର କର୍ତ୍ତବ୍ୟ । ଶାସ୍ତ୍ରରେ ଯାହା ଲିଖିତ, ସଂସାରରେ ଯାହା ପ୍ରଚଳିତ, ସେ ସବୁକୁ ନିର୍ବିଚାରରେ ଗ୍ରହଣ କରିବାକୁ ବୁଦ୍ଧ ବାରଣ କରିଛନ୍ତି । ସେ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ୱ ଆରୋପ କରି ଈଶ୍ୱରଙ୍କ ବିଷୟରେ ଚିନ୍ତା ନକରିବାକୁ କହିଛନ୍ତି । ତାଙ୍କର ଉପଦେଶ ହେଲା- ନିଜେ ନିଜର ଆଲୁଅ ହୁଅ । ସେ ମଣିଷର ନୈତିକ ଚରିତ୍ର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ନିଜର ଚାରିତ୍ରିକ ଶକ୍ତି, ଦୃଢତା ଓ ନିଷ୍ଠା ବଳରେ ହିଁ ମଣିଷର ବିକାଶ ହେବ ବୋଲି କହିଛନ୍ତି ।
ଯେ କୌଣସି ବ୍ୟକ୍ତି ବୁଦ୍ଧଙ୍କ ପ୍ରଦର୍ଶିତ ନୀତିରୁ ଅନେକ ଶିକ୍ଷା ଲାଭ କରିପାରିବେ । ବୁଦ୍ଧଙ୍କ ନୀତିରେ ଅଛି ସ୍ୱଚ୍ଛ, ନିର୍ମଳ, ଅବାରିତ ଜ୍ଞାନଧାରା ଯାହା ସର୍ବକାଳୀନ ଓ ସାର୍ବଜନୀନ ।
ବୁଦ୍ଧଙ୍କ ବଚନାମୃତ
ସିଦ୍ଧାର୍ତ୍ତ ଗୌତମ, ବୁଦ୍ଧତ୍ୱ ଲାଭ କରିବା ପରେ ଏବଂ ମହାପରିନିର୍ବାଣ ମଧ୍ୟରେ ବିଶ୍ୱବାସୀଙ୍କ କଲ୍ୟାଣନିମନ୍ତେ ବହୁ ଅମୃତବାଣୀ ଦେଇଯାଇଛନ୍ତି । ବୁଦ୍ଧଙ୍କ ମୁଖନିଃସୃତ ସେହି ବଚନାମୃତ ସବୁ ବହୁ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି । ବୁଦ୍ଧଙ୍କର ସେହି ସବୁ ବଚନାମୃତରେ ବାସ୍ତବ ମାନବବାଦୀ ଧର୍ମର ଗୂଢ ରହସ୍ୟ ଲୁକ୍କାୟିତ ହୋଇରହିଛି । ଏହାକୁ କାର୍ଯ୍ୟକାରୀ କଲେ ମଣିଷର ଉତ୍ତୋରତର ଉନ୍ନତି ସାଧିତ ହେବା ସଙ୍ଗେସଙ୍ଗେ ବିଶ୍ୱର ସାମୂହିକ କଲ୍ୟାଣ ହୋଇପାରିବ । ଏଠାରେ ସେହି ବଚନାମୃତରୁ କେତେଗୋଟି ଉଦ୍ଧାର କରାଗଲା:
- ଜୀବନ କ୍ଷଣଭଙ୍ଗୁର । ଏହା ଉପଲବ୍ଧି କରି ସମସ୍ତ ପ୍ରକାର ଦ୍ୱେଷ ଓ କଳହରୁ କ୍ଷାନ୍ତ ହୁଅ ।
- ଘୃଣାଦ୍ୱାରା ଘୃଣାର ବିଲୋପ ଘଟେ ନାହିଁ । ବରଂ ପ୍ରେମଦ୍ୱାରା ହିଁ ଘୃଣାକୁ ଜୟ କରିହୁଏ । ଏହା ଚିରନ୍ତନ ସତ୍ୟ ।
- ଯିଏ ଉଦ୍ଯୋଗୀ, ନିବିଷ୍ଟମନା, ସଚ୍ଚରିତ୍ର, ସଂଯତ, ଶିଷ୍ଟ ଓ ଜାଗ୍ରତ – ତାଙ୍କର ଯଶ ଉତ୍ତୋରତର ବୃଦ୍ଧି ପାଇଥାଏ ।
- ସହାଧ୍ୟାୟୀ, ସଦାଧ୍ୟାୟୀ ଏବଂ ସତତ ଉଦ୍ୟମୀ ପ୍ରଜ୍ଞାବାନ ବ୍ୟକ୍ତିମାନେ ସ୍ୱୀୟ ଅଧ୍ୟବସାୟ ବଳରେ ଅନୁପମ ବନ୍ଧନମୁକ୍ତ ‘ନିର୍ବାଣ’ ଉପଲବ୍ଧି କରିପାରନ୍ତି ।
- ଯାହାର ମନ ଦୃଢ ନୁହେଁ, ଯିଏ ସତ୍ଧର୍ମଶିକ୍ଷା ରହିତ ଏବଂ ଯାହାଙ୍କର ଆତ୍ମପ୍ରତ୍ୟୟ ଅଟଳ ନୁହେଁ, ସେପରି ବ୍ୟକ୍ତିର ଜ୍ଞାନ କଦାପି ପରିପୂର୍ଣ୍ଣ ହୋଇପାରେ ନାହିଁ ।
- ଯାହାଙ୍କର ମନ ଲୋଭଦ୍ୱାରା କଳୁଷିତ ନୁହେଁ, ଦ୍ୱେଷଦ୍ୱାରା ଆକ୍ରାନ୍ତ ନୁହେଁ ଏବଂ ଯିଏ ନିର୍ବିକାର – ସେ ସଦା ଜାଗ୍ରତ ଓ ନିର୍ଭୟ ।
- ହିଂସା, ଚୌର୍ଯ୍ୟ, ଯୌନଲିପ୍ସା, ମିଥ୍ୟା କଥନ, ଅପବାଦ, କର୍କଶ କଥା, ଅସଂଯତ ଆଳାପ, ଲୋଭ, ବିଦ୍ୱେଷ ଓ ଅନ୍ଧ ବିଶ୍ୱାସ- ଏସବୁ ଅଶୁଭ ମାର୍ଗ । ଏଣୁ ଏଥିରୁ ମନକୁ ନିବୃତ ରଖ ।
- ଜୀବନର ଯାତ୍ରାପଥରେ ମହତର କିମ୍ବା ସମାସ୍କନ୍ଧଙ୍କ ସାହଚର୍ଯ୍ୟ ଲୋଡିପାର । ଦୃଢ ସଂକଳ୍ପରେ ଏକାକୀ ବରଂ ସତ୍ୟର ସନ୍ଧାନରେ ଅଗ୍ରସର ହୁଅ । ହେଲେ କଦାପି ନିର୍ବୋଧର ସହଗାମୀ ହୁଅନାହିଁ ।
- ଯେଉଁ ଅଜ୍ଞ ବ୍ୟକ୍ତି ନିଜ ଜ୍ଞାନର ସୀମିତତା ହୃଦୟଙ୍ଗମ କରି ପାରନ୍ତି, ତାଙ୍କୁ ଅନ୍ତତଃ ତଥାବିଧି ଜ୍ଞାନୀ କୁହାଯାଇପାରେ । ମାତ୍ର ଅଜ୍ଞ ହୋଇ ସୁଦ୍ଧା ଯିଏ ନିଜକୁ ଜ୍ଞାନୀ ମନେକରେ ସେ ହିଁ ପ୍ରକୃତ ନିର୍ବୋଧ ।
- ଯେଉଁ କର୍ମ କଲେ ଅନୁତାପ କରିବାକୁ ପଡେ ତାହା କୁକର୍ମ । ମାତ୍ର ଯେଉଁ କର୍ମଦ୍ୱାରା ମନରେ ଆନନ୍ଦ ଉଲ୍ଲାସ ସୃଷ୍ଟିହୁଏ ତାହା ସୁକର୍ମ ।
- ପାପକର୍ମର କୁଫଳ ସଙ୍ଗେସଙ୍ଗେ ମିଳେ ନାହିଁ । ଯେପରି ସଜ ଦୁଗ୍ଧ ନିମିଷକେ ଛିଣ୍ଡିଯାଏ ନାହିଁ । ପାଉଁଶ ଭିତରେ ନିଆଁ କୁହୁଳିଲା ପରି କୁକର୍ମର ଫଳ ମୂଢ ଜନଙ୍କୁ ଅଲକ୍ଷିତରେ ଦହନ କରୁଥାଏ ।
- ବାସ୍ତବରେ ଅଳୀକ ଜ୍ଞାନ ଓ ଖ୍ୟାତି ହିଁ ମୂଢଜନଙ୍କ ଧ୍ୱଂସର କାରଣ, ଯେହେତୁ ଏଗୁଡିକ ସେମାନଙ୍କର ଅନ୍ତର୍ନିହିତ ସୁପ୍ତ ପ୍ରବୃତି ତଥା ସଦ୍ଜ୍ଞାନକୁ ଭ୍ରଷ୍ଟ କରିଦିଅନ୍ତି ।
- ସାଧୁ ପୁରୁଷ ସବୁ ପ୍ରକାରର ତୃଷ୍ଣା ପରିହାର କରନ୍ତି । ଧର୍ମପରାୟଣ ବ୍ୟକ୍ତି ସୁଖ ସମ୍ଭୋଗର କାମନା ରଖି ବାକ୍ୟାଳାପ କରନ୍ତି ନାହିଁ । ଜ୍ଞାନୀଜନ ସୁଖ ତଥା ଦୁଃଖରେ ନିର୍ବିକାର ରହନ୍ତି ।
- ଜ୍ଞାନସିଦ୍ଧିର ସପ୍ତାଙ୍ଗ ହେଉଛି: ସ୍ମୃତି, ସତ୍ୟ, ବୀର୍ଯ୍ୟ, ପ୍ରୀତି, ପ୍ରଶାନ୍ତି, ସମାଧି ଓ ଉପେକ୍ଷା । ଯେଉଁମାନଙ୍କର ମନ ଏହି ସପ୍ତାଙ୍ଗଦ୍ୱାରା ସମୁନ୍ନତ, ଯେଉଁମାନେ ସକଳ ତୃଷ୍ଣା ପରିହାର କରି ତ୍ୟାଗରେ ଆନନ୍ଦ ଲାଭ କରନ୍ତି – ସେହିମାନେ ହିଁ ମୁକ୍ତ, ଦୀପ୍ତିମାନ ।
- ଯେଉଁ ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନୁହଁନ୍ତି, ଯିଏ ନିର୍ବାଣ ଦର୍ଶନ ଅବଗତ, ଯିଏ ପୁନର୍ଜନ୍ମ ବିଶ୍ୱାସ କୁ ଅସ୍ବୀକାର କରିଛନ୍ତି, ଯିଏ ସମସ୍ତ ଇପ୍ସା, ଲିପ୍ସା ତ୍ୟାଗ କରିଛନ୍ତି ସେ ହିଁ ଯଥାର୍ଥରେ ମହାପୁରୁଷ ।
- ଗ୍ରାମ ହେଉ, ଜଙ୍ଗଲ ହେଉ, ଉପତ୍ୟକା ହେଉ କି ପାହାଡ ହେଉ- ଯେଉଁଠି ଅର୍ହତ (ଜ୍ଞାନୀ) ମାନେ ବାସକରନ୍ତି ସେହି ସ୍ଥାନ ହେଉଛି ଆନନ୍ଦମୟ ।
- ଗୁରୁଜନଙ୍କୁ ଭକ୍ତି ଓ ଜ୍ଞାନୀଜନଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଚତୁର୍ବିଧ ମଙ୍ଗଳ ହୁଏ, ଯଥା: ଆୟୁ, ରୂପ, ସୁଖ ଓ ବୀର୍ଯ୍ୟ ପ୍ରାପ୍ତି ହୋଇଥାଏ ।
- ନଷ୍ଟ ଚରିତ୍ର, ଅସଂଯମୀ ହୋଇ ଶହେ ବର୍ଷ ବଂଚିବା ଅପେକ୍ଷା ଶୀଳ ପରାୟଣ ଓ ଧର୍ମଶୀଳ ହୋଇ ଦିନଟିଏ ମାତ୍ର ବଂଚି ରହିବା ଭଲ ।
- ପୁଣ୍ୟକର୍ମ ଥିଲେ ଏହା ପୁନଃପୁନଃ କରିବାକୁ ସଚେଷ୍ଟ ହୁଅ । ପୁଣ୍ୟକର୍ମ କରିବାରେ ଆନନ୍ଦ ଅନୁଭବ କର । କାରଣ ସତ୍କର୍ମର ଗଚ୍ଛିତ ଫଳ ସୁଖମୟ ।
- କୁକର୍ମର ଫଳ, ପାପର ପରିଣାମ ଭୋଗ କରିବାକୁ ହିଁ ହେବ । ଯୁଆଡେ ବି ଯାଅ ଦୁଷ୍କୃତିର ଫଳରୁ ନିଷ୍କୃତି ନାହିଁ ।
- ଅନ୍ତରୀକ୍ଷ, ସମୁଦ୍ର ବକ୍ଷ ଅଥବା ପର୍ବତ ଗହ୍ୱର- ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠି ମୃତ୍ୟୁରୁ ତ୍ରାହି ଅଛି ।
- କାହାରିକୁ କର୍କଶ କଥା କୁହନାହିଁ; ଯାହାକୁ କହିବ ସେ ସେହିପରି ପ୍ରତ୍ୟୁତ୍ତର ଦେବ ।
- ଉଲଗ୍ନ ଶରୀର, ମୁଣ୍ଡିତ ବା କଟାକେଶ, ଦୂଷିତ ଦ୍ରବ୍ୟାବରଣ, ଉପବାସ, ଭୂତଳରେ ଶୟନ, ଭସ୍ମ ବା ଧୂଳି ଲେପନ ଓ କ୍ଳେଶାସନ- କେଉଁଥିରେ ମନୁଷ୍ୟର ଚିତ୍ତ ଶୁଦ୍ଧି ହେବନାହିଁ, ଯେ ପର୍ଯ୍ୟନ୍ତ ତା’ ମନରୁ ମୋହ ଦୂର ହୋଇନାହିଁ ।
- ଯାହା ଉତ୍ତମ ବୋଲି ଭାବୁଛ ପ୍ରଥମେ ତାହାକୁ ଆଚରଣ କର ଓ ପରେ ତାହା କରିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେବ ।
- ନିଜେ ହିଁ ନିଜର ଆଶ୍ରୟଦାତା ପ୍ରଭୁ । ନିଜକୁ ସୁସଂଯତ କର ।
- ଜାଗ୍ରତ ହୁଅ, ଯତ୍ନଶୀଳ ହୁଅ । ସାଧୁ ଜୀବନଯାପନ କର ଓ ସଦାଚାରୀ ହୁଅ ।
- ସତ୍ ଆଚରଣ କର । କଳୁଷିତ ଜୀବନ ପରିହାର କର ।
- ଲୋଭଠାରୁ ବଳି ଆଉ ଅଗ୍ନି ନାହିଁ, ଦ୍ୱେଷଠାରୁ ବଳି ଅପରାଧ ନାହିଁ; ପଂଚସ୍କନ୍ଧ ଆଧାରିତ ଜୀବନଠାରୁ ବଳି ଆଉ ଦୁଃଖ ନାହିଁ; ମାତ୍ର ନିର୍ବାଣଠାରୁ (ଦୁଃଖ ରୁ ମୁକ୍ତି ) ବଳି ସୁଖ ଆଉ କିଛି ବି ନାହିଁ ।
- ତୃଷ୍ଣାରୁ ଶୋକ ଉପୁଜେ ଓ ଭୟ ଜାତ ହୁଏ । ଯିଏ ଏଥିରୁ ମୁକ୍ତ ତାଙ୍କର ଶୋକ ଅବା ଭୟ ଆସିବ ବା କେଉଁଠୁ?
- ଯିଏ ସଚ୍ଚରିତ୍ର, ଦୂରଦୃଷ୍ଟି ସମ୍ପନ୍ନ, ନ୍ୟାୟପରାୟଣ, କର୍ତ୍ତବ୍ୟନିଷ୍ଠ ଓ ସତ୍ୟାନୁରାଗୀ, ତାଙ୍କୁ ଲୋକମାନେ ସଦା ପ୍ରିୟ ମଣନ୍ତି ।
- କ୍ରୋଧକୁ ସ୍ନେହଦ୍ୱାରା ବଶ କର । ଅସାଧୁକୁ ସାଧୁତାଦ୍ୱାରା, କୃପଣକୁ ଦାନଶୀଳତାଦ୍ୱାରା ଓ ମିଥ୍ୟାଚାରୀକୁ ସତ୍ୟଦ୍ୱାରା ଜୟ କରାଯାଇପାରେ ।
- ବୃକ୍ଷକୁ ମୂଳରୁ ଉତ୍ପାଟନ ନ କରି ଅଧାରୁ କାଟିଦେଲେ ତାହା ପୁଣି ଗଜୁରି ଉଠେ । ସେହିଭଳି କାମନାର ସମୂଳ ବିନାଶ ନକଲେ ତାହା ପୁନର୍ବାର ଜାଗରିତ ହୁଏ ।
- ସମ୍ପଦଭୋଗ ନିର୍ବୋଧ ଲୋକକୁ ଧ୍ୱଂସ କରିପାରେ; କିନ୍ତୁ ଯିଏ ନିର୍ବାଣ ସନ୍ଧାନୀ ତାଙ୍କୁ ନୁହେଁ ।
- କ୍ଷେତର କଳୁଷ ବାଳୁଙ୍ଗା; ମନୁଷ୍ୟର କଳୁଷ ଲୋଭ; ଏଣୁ ଲୋଭ ହୀନ ବ୍ୟକ୍ତିଙ୍କୁ ଦାନ କରିବା ଶୁଭଫଳଦାୟକ ।
- ଯାହାଙ୍କର କର୍ମରେ, ଚାଲି ଚଳଣରେ, ବାକ୍ୟରେ ସଂଯମ ଅଛି ଏବଂ ଯିଏ ସଂଯତ, ଧ୍ୟାନପରାୟଣ, ସ୍ଥିତପ୍ରଜ୍ଞ, ଏକାନ୍ତବାଦୀ ଓ ତୁଷ୍ଟଚିତ୍ତ- କେବଳ ତାଙ୍କୁ ହିଁ ସନ୍ନ୍ୟାସୀ କୁହାଯାଏ ।
- ଯେଉଁମାନେ ପର ଅପରର ସୁଖରେ ଈର୍ଷାନ୍ୱିତ ହୋଇଉଠନ୍ତି ସେମାନଙ୍କର ସମାଧି ଲାଭ ହୁଏନାହିଁ ।
- ଯେଉଁ ବ୍ୟକ୍ତି କର୍ମ ସାଧନରେ ସ୍ଥିର, ବାକ୍ୟାଳାପରେ ସ୍ଥିର, ଚିନ୍ତନରେ ସ୍ଥିର, ସମ୍ୟକ୍ ଶାନ୍ତ ଏବଂ ସାଂସାରିକ ସୁଖ-ଲିପ୍ସା ରହିତ, ସେ ହିଁ ପ୍ରକୃତ ସୌମ୍ୟଦର୍ଶନ ଅଟନ୍ତି ।
- ତୁମେ ନିଜକୁ ନିଜେ ପରୀକ୍ଷା କର, ଦୋଷପାଇଁ ନିଜକୁ ନିଜେ ଭର୍ତ୍ସନା କର; ଏହିପରି ସ୍ୱୟଂରକ୍ଷିତ ଓ ସ୍ୱୟଂସଜାଗ ରହିଲେ ତୁମେ ସୁଖୀ ହେବ ହିଁ ହେବ ।
ଅନ୍ଧଭାବରେ କୌଣସି କଥାକୁ ବିସ୍ଵାଶ କର ନାହିଁ , କାରଣ ତାକୁ ତୁମେ କେଉଁଠାରୁ ଶୁଣିଥିଲ । ଅନ୍ଧଭାବରେ କିଛି ମଧ୍ୟ ବିସ୍ଵାଶ କର ନାହିଁ କାରଣ ତାକୁ ବହୁ ଲୋକ କହନ୍ତି ଏବଂ ତାହା ଅନେକଙ୍କ ଦ୍ବାରା ପ୍ରଚାରିତ ବା ବହୁ ମୁଖେ ବଦିତ । ଅନ୍ଧଭାବରେ କିଛିଭି ସରଳରେ ବିସ୍ଵାଶ କର ନାହିଁ କାରଣ ତାହା ତୁମ ଧର୍ମ ଗ୍ରନ୍ଥରେ ଲିଖିତ । ଅନ୍ଧଭାବରେ କିଛିଭି ସରଳତା ସହ ବିସ୍ଵାଶ କର ନାହିଁ ଯାହା ତୁମର ଅଧିକାରୀ ଭାବେ ଗୁରୁ ବା ବୟୋବୃଦ୍ଧମାନଙ୍କ ଦ୍ବାରା ବଦିତ । ଅନ୍ଧଭାବରେ ପରମ୍ପରାକୁ ବିସ୍ଵାଶ କର ନାହିଁ କାରଣ ସେଗୁଡିକ ପିଢି ରୁ ପଢି ଧରି ଅନ୍ୟଏକ ପିଢ଼ିକୁ ଅନ୍ଧ ଭାବେ ହସ୍ତାନ୍ତରିତ । କିନ୍ତୁ ଅବଲୋକନ ଏବଂ ବିଶ୍ଳେଷଣ ପରେ ଯଦି ଏହା କାରଣ ସହ ସହମତ ହୋଇ ସତ୍ ଉଦ୍ଧେଶ୍ୟ ଏବଂ ଲୋକ କଲ୍ୟାଣ ପାଇଁ ଅନୁକୁଳ ତେବେ ତାହା ଗ୍ରହଣ୍ୟ ଏବଂ ଜ୍ଞାନଯୋଗ୍ୟ।
Do not believe in anything blindly simply because you have heard it. Do not believe blindly in anything simply because it is spoken and rumored by many. Do not believe blindly in anything simply because it is found written in your religious books. Do not believe blindly in anything merely on the authority of your teachers and elders. Do not believe blindly in traditions because they have been handed down for many generations. But after observation and analysis, when you find that anything agrees with reason and is conducive to the good and benefit of one and all, then accept it and live up to it.
ଜଣେ ବ୍ୟକ୍ତି ବୁଦ୍ଧଙ୍କୁ ପଚାରିଲେ “ମୁଁ ସୁଖ ଚାହେଁ “। ବୁଦ୍ଧ କହିଲେ ପ୍ରଥମେ “ମୁଁ” କୁ ଅଲଗା କର, ଯାହା ଅହଂକାର ଅଟେ । ତାପରେ “ଚାହେଁ” କୁ ଅଲଗା କର, ଯାହା କାମନା ଅଟେ । ବର୍ତ୍ତମାନ ଦେଖ ତୁମ ପାଖରେ କେବଳ “ସୁଖ” ହିଁ ଅଛି ।
A man asked Buddha “I want happiness.” Buddha said first remove “I” that’s ego. Then remove “Want” that’s desire. See now you are left with only “Happiness”
ମନୁଷ୍ୟର ମନହିଁ ସବୁକିଛି । ତୁମ ମନ ଯାହା ଚାହେଁ ତାହା ତୁମେ ହୋଇପାରିବ ।
The mind is everything. What you think you become.
ଶାରରୀକ ସୌନ୍ଦର୍ଯ୍ୟ ଆଖିକୁ ଆକର୍ଷଣ କରେ, କିନ୍ତୁ ସତ୍ କର୍ମ ବା ସାଧୁତା ମନକୁ ଆକର୍ଷଣ କରେ ।
Physical charms attract the eyes, goodness attracts the mind.
ଚାଟୁ କଥା ମହୁ ଲିପା ବିଷ ସହ ସମାନ ।
Flattering words are but honey-coated poison.
ଯେମିତି ଆଲୋକ ଅନ୍ଧକାରକୁ ଦୁରକରେ ସେହିପରି ଜ୍ଞାନ ଅଂଜ୍ଞତାକୁ ଦୁରକରେ ।
Light dispels darkness. Wisdom dispels ignorance.
ଯେପରି କର୍ମ ସେପରି ଫଳ ।
As you sow so you reap.
ମୃତ୍ୟୁ ପର୍ଯ୍ୟନ୍ତ ଜୀବନରେ କିଛିଭି ଯଥେଷ୍ଟ ନୁହେଁ ।
Until death there is nothing enough.
ବିଫଳତା ମନୁଷ୍ୟକୁ ସଫଳତାର ସିକ୍ଷା ଦେଇଥାଏ ।
Failure teaches a man how to succeed.
ଅପବାଦପୂର୍ଣ୍ଣ ଧନ ଠାରୁ ଦାରିଦ୍ର୍ୟପୂର୍ଣ୍ଣ ଆଦର୍ଶ ଭଲ ।
Poverty with dignity is better than wealth based on shame.
ସମସ୍ୟାରେ ଆତ୍ମହରା ହେବା ଅନୁଚିତ କାରଣ ପ୍ରତି ସମସ୍ୟାର ସର୍ବଦା ସମାଧାନର ଉପାୟ ଅଛି ।
Don’t escape when you have a problem because there always is a way to solve it.
ମନୁଷ୍ୟର ଅଜ୍ଞତା ତାର ପ୍ରକୃତ ଶତ୍ରୁ ।
Ignorance is the real evil.
ମନୁଷ୍ୟର ମୁହଁ ଚିହ୍ନିବା ସହଜ କିନ୍ତୁ ତାର ମନ ଜାଣିବା କଷ୍ଟକର ।
It is easy to know man’s face, but it is difficult to know his thought.
ଶାନ୍ତି ହେଉଚି ପରମ ଶୁଖ ।
Peace is the highest bliss.
ଭଲ କର୍ମ କରିବାର ପ୍ରଚେଷ୍ଟା ମହାନ ହବା ଠାରୁ ଭଲ, ଅନ୍ୟଥା ତୁମେ ଅସୁବିଧାର ସମୁଖିନ୍ନ ହେବ ।
Do try to do good but not to be great, otherwise you will be in danger.
ସ୍ବଚ୍ଛ , ଷ୍ପଷ୍ଟ, ସାନ୍ତ; ମହାନ ଲୋକର ଚରିତ୍ର ।
Clean, clear, calm; these are characteristics of a noble person.
ଚିନ୍ତା ଆୟୁସ ହ୍ରାସେ ।
Anxiety shortens life.
ସ୍ବାର୍ଥପରତା ହେଉଛି ସମସ୍ତ ଅନର୍ଥର ମୂଳ କାରଣ ।
Selfishness is the father of all evil and real enemy of peace.
ପ୍ରତ୍ୟକକୁ ସନ୍ଦେହ କରି ନିଜେ ସତ୍ୟତା ହାସଲ କର ।
Doubt everything. Find your own light.
ଅତୀତ ପାଇଁ ଦୁଃଖିତ ନହୋଇ, ଭବିଷ୍ୟତର ସ୍ବପ୍ନ ନଦେଖି, ବର୍ତ୍ତମାନର କାର୍ଯ୍ୟ ପ୍ରତି ଧ୍ୟାନ ଦିଅ । ଆଜିର ଦିନ ଭବିଷ୍ୟତର ଦୁଇ ଦିନ ଠାରୁ ଭଲ।
Do not dwell in the past, do not dream of the future, concentrate the mind on the present moment. Today is better than two tomorrows.
ସ୍ଵାସ୍ଥ୍ୟ ହିଁ ସର୍ବଶ୍ରେଷ୍ଠ ଉପହାର, ସନ୍ତୋଷ ହିଁ ସର୍ବଶ୍ରେଷ୍ଠ ଧନ, ବିସ୍ବସ୍ତ ହିଁ ସର୍ବଶ୍ରେଷ୍ଠ ସମ୍ପର୍କ ।
Health is the greatest gift, contentment the greatest wealth, faithfulness the best relationship.
ସତ୍ରୁ କିମ୍ବା ବିରୋଧୀ ନୁହଁ, ମନୁଷ୍ୟର ନିଜ ମନ ହିଁ ତାକୁ ଅନର୍ଥ ପଥଗାମୀ ପାଇଁ ଲାଳାୟିତ କରିଥାଏ ।
It is a man’s own mind, not his enemy or foe that lures him to evil ways.
କ୍ରୋଧକୁ ନିଜ ଭିତରେ ଧରି ରଖିବା, ଗରମ ଅଙ୍ଗାରକୁ ଧରି ରଖି ଅନ୍ୟ ଉପରକୁ ଫୋପାଡିବା ଉଦ୍ଧେଶ୍ୟ ସହ ସମାନ; ତୁମେ ସେହି ଯିଏକି ଜଳିଯିବ ।
Holding on to anger is like grasping a hot coal with the intent of throwing it at someone else; you are the one who gets burned.
ଯଦ୍ୟପି ଅନେକ ପବିତ୍ର ଶବ୍ଦ ତୁମେ ପଢିଥାଇ ପାର, ଯଦ୍ୟପି ଅନେକ ତୁମେ ତାକୁ କୁହ, ତୁମେ ତାକୁ ଯଦି କାର୍ଯ୍ୟରେ ନ ଲଗେଇବ ସେଥିରୁ କି ଲାଭ ମିଳିବ?
However many holy words you read, however many you speak, what good will they do you if you do not act on upon them?
ହଜାର ଯୁଦ୍ଧ ଜିତିବା ଅପେକ୍ଷା ନିଜକୁ ଜିତିବା ଭଲ । ସେତେବେଳେ ବିଜୟ ତୁମର, ଏହା ତୁମଠାରୁ କେଇ ନେଇ ପାରିବେନି, ନା ପରୀ ନା ଦାନବ, ନା ସ୍ୱର୍ଗ ନା ନର୍କ ।
It is better to conquer yourself than to win a thousand battles. Then the victory is yours. It cannot be taken from you, not by angels or by demons, heaven or hell.
ଜିଭ ଗୋଟିଏ ତିଖ୍ନ ଛୁରୀ ପରି… ଯାହା ବିନା ରକ୍ତପାତରେ ହତ୍ୟା କରେ । ଅମେ ଯୋଉ ଶବ୍ଦ ଲୋକମାନଂକ ଶୁଣିବା, ବା ଭଲ ମନ୍ଦ ପ୍ରଭାବିତ ପାଇଁ କହିବା, ତାହା ଯତ୍ନ ସହ ବାଛିବା ଉଚିତ ।
The tongue like a sharp knife… Kills without drawing blood. Whatever words we utter should be chosen with care for people will hear them and be influenced by them for good or ill.
ଯଦି ତୁମେ ପ୍ରକୃତରେ ନିଜକୁ ଭଲ ପାଇଥାଅ ତେବେ ତୁମେ କେବେଭି ଅନ୍ୟକୁ ଆଘାତ ଦେବ ନାହିଁ ।
If you truly loved yourself, you could never hurt another.